କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ପିଏନ୍ ସିଂହ

ଚାରି ହିନ୍ଦୁଙ୍କୁ ଏଆଇଏମ୍‌ଆଇଏମ୍‌ ଟିକେଟ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟର ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା, କଂଗ୍ରେସର ଝାଡ଼ଖଣ୍ଡ ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ଆର୍‌ପିଏନ୍ ସିଂହ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫାପତ୍ର ପଠେଇଛନ୍ତି। ଏହାପରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିବା ଶ୍ରୀ ସିଂହ ସର୍ବସାଧାରଣରେ ଘୋଷଣା କରିଛନ୍ତି ଯେ, ସେ ରାଜନୈତିକ ଯାତ୍ରାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଦେଶ ଗଠନରେ ତାଙ୍କର ଯୋଗଦାନ ଅବ୍ୟାହତ ରହିବ। ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଜିତିନ ପ୍ରସାଦଙ୍କ ପରେ ସିଂହ ହେଉଛନ୍ତି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ତୃତୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ଉତ୍ତରପ୍ରଦେଶ କୁଶୀନଗର ନିବାସୀ ଆର୍‌ପିଏନ୍ ସିଂହ ଉପା ସରକାରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଥିଲେ। ତାଙ୍କର ବିଜେପିରେ ଯୋଗଦାନକୁ କଂଗ୍ରେସ ସହଜରେ ଗ୍ରହଣ କରିପାରି ନାହିଁ। କଂଗ୍ରେସ ତାଙ୍କୁ କାପୁରୁଷ ବୋଲି ଅଭିହିତ କରିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାଟେ କହିଛନ୍ତି, କଂଗ୍ରେସ ଯେଉଁ ଲଢ଼େଇ ଲଢ଼ୁଛି ସେଥିପାଇଁ ସାହସ ଓ ଶକ୍ତି ଦରକାର। କିନ୍ତୁ ସିଂହ ଯେଉଁ କାମ କଲେ ତାହା ଭୀରୁତାର ପରିଚାୟକ।

ଚାରି ହିନ୍ଦୁଙ୍କୁ ଏଆଇଏମ୍‌ଆଇଏମ୍‌ ଟିକେଟ୍
ମୁଜାଫର୍‌ନଗର: ଆସନ୍ତା ଉତ୍ତରପ୍ରଦେଶ ବିଧାନସଭ‌ା ନିର୍ବାଚନରେ ଅସଦୁଦ୍ଦିନ ଅୱେସିଙ୍କ ଦଳ ଏଆଇଏମଆଇଏମ ୪ ହିନ୍ଦୁ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ମୋଟ ୨୭ଟି ପ୍ରାର୍ଥୀଙ୍କ ମଧ୍ୟରୁ ଚାରି ଜଣ ହିନ୍ଦୁ ଥିବାବେଳେ ତାଙ୍କ ମଧ୍ୟରୁ ଜଣେ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବୁଧନା ବିଧାନସଭା ଆସନରୁ ଚୟନ ହୋଇଛନ୍ତି। ଆଗାମୀ ଦିନରେ ହିନ୍ଦୁ ମାନଙ୍କୁ ଅଧିକ ଟିକେଟ୍ ପ୍ରଦାନ କରାଯିବ ବୋଲି ପାର୍ଟି ମୁଖ୍ୟ କହିଛନ୍ତି। ପାର୍ଟି ସମ୍ପ୍ରଦାୟ ଆଧାରରେ ଟିକେଟ୍ ଦିଏ ନାହିଁ ବୋଲି କହିବା ସହ ବିଜେପି ନିଜ ଦଳରେ କୌଣସି ମୁସଲମାନଙ୍କୁ ସ୍ଥାନ ଦେଉ ନଥିବା କହିଛନ୍ତି। ଶାହିବାବାଦରୁ ପଣ୍ଡିତ ମନମୋହନ ଝା ଲଢୁଥିବାବେଳେ ଭୀମ ସିଂହ ବୁଧନାରୁ, ବିନୋଦ ଜତାଭ ହସ୍ତିନାପୁର, ବିକାଶ ଶ୍ରୀଵାସ୍ତବ ବାରହାଙ୍କିରୁ ଲଢିବେ।

ସମ୍ବନ୍ଧିତ ଖବର