ପଞ୍ଚଭୂତରେ ଲୀନ ହେଲା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପାର୍ଥିବ ଶରୀର

ପୁଅ ରାଜବୀର ଦେଲେ ମୁଖାଗ୍ନି

ଲ‌କ୍ଷ୍ନୌ: ପଞ୍ଚଭୂତରେ ବିଲୀନ ହେଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କଲ୍ୟାଣ ସିଂ । ସୋମବାର ରାଜକୀୟ ସମ୍ମାନ ସହ ବୁଲନ୍ଦଶହର ଜିଲ୍ଲାର ନରୌରା ଘାଟରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ଆଜି ଅନ୍ତିମ ସଂସ୍କାର ବେଳେ କଲ୍ୟାଣ ସିଂହଙ୍କ ପୁଅ ରାଜବୀର ତାଙ୍କୁ ମୁଖାଗ୍ନି ଦେଇଥିଲେ । ଏହି ସମୟରେ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ ।

ଗତ ଅଗଷ୍ଟ ୨୧ ତାରିଖରେ କଲ୍ୟାଣ ସିଂଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ହେଇଥିଲା । ତେବେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସେ ଆଖି ବୁଜିଥିଲେ । ପ୍ରାୟ ଦେଢମାସ କାଳ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ଭଲ ହୋଇପାରିନଥିଲେ । ଦେହାନ୍ତ ପରେ ଆଜି ନରୌରା ଘାଟରେ ୨୧ ପଣ୍ଡିତଙ୍କ ଦ୍ୱାରା ବୈଦିକ ବିଧି-ବିଧାନ ଅନୁସାରେ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ୨୦ କିଲୋ ଚନ୍ଦନ କାଠରେ କଲ୍ୟାଣ ସିଂଙ୍କ ପାର୍ଥିବ ଶରୀରକୁ ଦାହ କରାଯାଇଥିଲା ।

କଲ୍ୟାଣ ସିଂ ଦୁଇ ଦୁଇ ଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ଖାଲି ସେତିକି ନୁହେଁ ସେ ରାଜ୍ୟପାଳ ଭାବେ ମଧ୍ୟ ନିଜ ଦାୟିତ୍ୱ ତୁଲାଇଥିଲେ । ବିଜେପି ନେତାଙ୍କ ମଧ୍ୟରେ ସେ ବାବୁଜୀ ନାମରେ ପରିଚିତ ଥିଲେ । ତାଙ୍କର ଦେହାନ୍ତ ପରେ ତମାମ ବିଜେପି ନେତା ଶୋକ ପ୍ରକାଶ କରିବା ସହିତ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସମ୍ବନ୍ଧିତ ଖବର