ଆପତ୍ତିଜନକ ଭାଷଣ ଦେଇ ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ କ୍ୟୁରେସୀ ଅଟକ

ମୋରାଦାବାଦ : ଉତ୍ତରପ୍ରଦେଶରେ ମୋରାଦାବାଦରେ ହୋଇଥିବା ଏକ ନାଗରିକତା ଆଇନ ବିରୋଧୀରେ ର‍୍ୟାଲି ବେଳେ ଆପତ୍ତିଜନକ ଭାଷଣ ଦେଇ ଅଟକ ରହିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ କ୍ୟୁରେସୀ ।

ଗତ ୨୨ ତାରିଖରେ ସ୍ଥାନୀୟ ଇଦଗା ପଡ଼ିଆଠାରେ ଅନୁଷ୍ଠିତ ଏକ ନାଗରିକତା ଆଇନ ବିରୋଧୀରେ ର‍୍ୟାଲିରେ ଭାଷଣ ଦେଇ ସେ କହିଥିଲେ ଯେ ଧର୍ମ ଭିତ୍ତିରେ ଭେଦଭାବ କରିବାର ଅଧିକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କର ନାହିଁ । ଏହା ଅସମ୍ବିଧାନିକ । ସେମାନେ ବିଭେଦକାରୀ ରାଜନୀତି କରୁଛନ୍ତି ଓ ଅଟକ କ୍ୟାମ୍ପ ତିଆରି କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ମୁସଲିମମାନେ ଏହି ଦେଶପାଇଁ ବଳିଦାନ ଦେଇଛନ୍ତି । ୧୮୫୭ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବେଳେ ହିନ୍ଦୁମାନଙ୍କ ପରି ମୁସଲିମମାନେ ମଧ୍ୟ ବଳିଦାନ ଦେଇଥିଲେ । ଏହା ସହିତ ସେ କେତେକ ଆପତ୍ତିଜନକ ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ । ଏଥିପାଇଁ ଉତ୍ତରପ୍ରଦେଶ ପୁଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି ।

ସୂଚନାଯୋଗ୍ୟ ଗତ ଡିସେମ୍ବର ମାସରେ ଭାରତ ସରକାର ନାଗରିକତା (ସଂଶୋଧନ) ଆଇନ ପ୍ରଣୟନ କରିଥିଲେ । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର