ହିସାର: ହରିୟାଣାର ହିସାର ଜିଲ୍ଲାର ବିଠମଡ଼ା ଗାଆଁର ୪୦ଟି ମୁସଲିମ୍ ପରିବାରର ୨୫୦ ସଦସ୍ୟ ଶୁକ୍ରବାର ହିନ୍ଦୁଧର୍ମ ଗ୍ରହଣ କରି ନିଜ କୁଟୁମ୍ବର ଜଣେ ୮୦ ବର୍ଷୀୟ ମହିଳାଙ୍କ ଶବକୁ ହିନ୍ଦୁ ରୀତିରେ ଦାହ କରିଛନ୍ତି। ଧର୍ମାନ୍ତରିତ ହୋଇଥିବା ସତ୍ବୀର କହିଛନ୍ତି ଯେ ତାଙ୍କ ମାଆ ଫୁଲ୍ଲୀ ଦେବୀଙ୍କର ଶୁକ୍ରବାର ସ୍ୱାଭାବିକ ମୃତ୍ୟୁ ହୋଇଥିଲା ଏବଂ ସେଇ ମୁସଲିମ୍ ପରିବାରମାନେ ନିଷ୍ପତ୍ତି କରିଥିଲେ ସେମାନେ ହିନ୍ଦୁ ଜୀବନଶୈଳୀରେ ବଞ୍ଚୁଥିବାରୁ ସେମାନେ ନିଜକୁ ହିନ୍ଦୁ ଘୋଷଣା କରିବା ଉଚିତ। ସେୟା ହେଲା ଏବଂ ସେମାନେ ହିନ୍ଦୁ ରୀତିରେ ମହିଳାଙ୍କ ମୃତଦେହକୁ ଶ୍ମଶାନରେ ଦାହ କଲେ। ସତ୍ବୀର ଦାବି କରନ୍ତି ଯେ ସେ ଦୁମ୍ ଜାତିର ଏବଂ ତାଙ୍କ ହିନ୍ଦୁ ପୂର୍ବପୁରୁଷମାନେ ତତ୍କାଳୀନ ମୋଗଲ ଶାସକ ଆଉରଙ୍ଗଜେବଙ୍କ ଚାପରେ ପଡ଼ି ମୁସ୍ଲିମ୍ ହୋଇଥିଲେ। ପୂରା ଗାଆଁ ହିନ୍ଦୁ ପର୍ବପର୍ବାଣୀ ପାଳନ କରନ୍ତି। କିନ୍ତୁ ମୃତକମାନଙ୍କ ଶେଷ ସଂସ୍କାରଗୁଡ଼ିକ କେବଳ ମୁସ୍ଲିମ୍ ଧର୍ମ ଅନୁଯାୟୀ କରିଥାଆନ୍ତି।
ଯେତେବେଳେ ତାଙ୍କୁ ପଚାରାଯାଇଥିଲା, ଧର୍ମାନ୍ତରଣ ପାଇଁ କୌଣସି ଚାପ ପଡ଼ିଥିଲା କି, ସେତେବେଳେ ସେ ତାହାକୁ ଅସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ କୌଣସି ଗ୍ରାମବାସୀ କାହାକୁ କେବେ ଅସମ୍ମାନ କରିନାହାନ୍ତି। ଗାଆଁର ଜଣେ ଯୁବକ ମଜିଦ୍ କହିଛନ୍ତି ଯେ ତାଙ୍କ ସମାଜର କେହି ପାଠ ପଢ଼ିନଥିବାରୁ ସେମାନେ ପ୍ରାଚୀନ ଓ ପାରମ୍ପରିକ କଥାଗୁଡ଼ିକୁ ଜାଣିପାରୁ ନଥିଲେ। ଆଜିକାଲି ବହୁତ ଲୋକ ଶିକ୍ଷିତ ହେଲେଣି ଏବଂ ସେମାନେ ଏମିତି ଧର୍ମ ବଦଳେଇବାକୁ ବୁଝାଇପାରୁଛନ୍ତି। କେବଳ ଯେତେବେଳେ ଆମେ ଆମ କୁଟୁମ୍ବର ମୃତକମାନଙ୍କ ଶବକୁ କବର ଦେଉ, ସେତେବେଳେ ହିଁ ଗ୍ରାମବାସୀମାନେ ଆମକୁ ଅଲଗା ଭାବେ ଦେଖିଥାଆନ୍ତି। ତେଣୁ ଆମ ଛୁଆମାନଙ୍କ ଭବିଷ୍ୟତକୁ ଚାହି ଆମେ ଧର୍ମାନ୍ତରିତ ହେବାକୁ ନିଷ୍ପତ୍ତି କଲୁ।