ମିଳିଲାଣି ତୃତୀୟ ଲହର ସଙ୍କେତ! ମହାରାଷ୍ଟ୍ର-କେରଳରୁ ଦେଶର ଅର୍ଦ୍ଧାଧିକ ସଂକ୍ରମଣ

୬୬ ଜିଲ୍ଲାରେ ପଜିଟିଭ୍‌ ହାର ୧୦%ରୁ ଅଧିକ

ନୂଆଦିଲ୍ଲୀ : ଦେଶରେ ଦ୍ବିତୀୟ ଲହର ଏବେ ବି ଶେଷ ହୋଇନାହିଁ। ୬୬ ଟି ଜିଲ୍ଲାରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ତେବେ ସଂକ୍ରମଣ କମୁଥିଲେ ସୁଦ୍ଧା ଦେଶରେ ତୃତୀୟ ଲହରର ଆରମ୍ଭ ହେବାର ଲକ୍ଷଣ ଦେଖିବାକୁ ମିଳିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପର୍ଯ୍ୟଟନ ସ୍ଥଳମାନଙ୍କରେ ଭିଡ଼ ଏବଂ ଲୋକେ କୋଭିଡ୍‌ ନିୟମାବଳି ପାଳନ ନକରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷ କରି ମହାରାଷ୍ଟ୍ର ଏବଂ କେରଳରେ ଲଗାତାର ସଂକ୍ରମଣ ବଢ଼ୁଥିବାରୁ ମୋଦୀ ଚିନ୍ତା ପ୍ରକଟ କରିଛନ୍ତି।

ଦ୍ବିତୀୟ ଲହର ଶୀର୍ଷ ସଂକ୍ରମଣ ତୁଳନାରେ ବର୍ତ୍ତମାନ ଦୈନିକ ସଂକ୍ରମଣ କମିଛି। କିନ୍ତୁ ମହାରାଷ୍ଟ୍ର ଏବଂ କେରଳରେ ବଢ଼ୁଛି। ଗତ ସପ୍ତାହରେ ଦେଶର ମୋଟ୍‌ ସଂକ୍ରମଣ ମାମଲାର ଅର୍ଦ୍ଧାଧିକ ତଥା ପ୍ରାୟ ୫୩ ପ୍ରତିଶତ ସଂକ୍ରମଣ ୨ଟି ରାଜ୍ୟ ମହାରାଷ୍ଟ୍ର ଏବଂ କେରଳରୁ ଚିହ୍ନଟ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, କେରଳର ୧୪ ଜିଲ୍ଲା ଏବଂ ମହାରାଷ୍ଟ୍ରର ୧୫ ଜିଲ୍ଲା ଅତ୍ୟନ୍ତ ଚିନ୍ତାଜନକ। ୨୧ ପ୍ରତିଶତ ମାମଲା ମହାରାଷ୍ଟ୍ର ଏବଂ ୩୨ ପ୍ରତିଶତ ମାମଲା କେରଳରୁ ଚିହ୍ନଟ ହୋଇଛି। ଏହା କରୋନାର ତୃତୀୟ ଲହରର ପ୍ରାଥମିକ ସଙ୍କେତ ବୋଲି କୁହାଯାଉଛି। ୮୬ଟି ଜିଲ୍ଲାରେ ଦୈନିକ ମାମଲା ୧୦୦ରୁ କମ୍‌ ରହୁଛି। ଦେଶର ୮୦ ପ୍ରତିଶତ ନୂଆ ମାମଲା ୯୦ ଜିଲ୍ଲାରେ ଚିହ୍ନଟ ହୋଇଛି। ଏହିସବୁ ଅଞ୍ଚଳ ଗୁଡ଼ିକ ଉପରେ ସ୍ବତନ୍ତ୍ର ଫୋକସ୍‌ ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି।

ଦିଲ୍ଲୀ, ବେଙ୍ଗାଲୁରୁ, ଲକ୍ଷ୍ନୌ, ‌କୋଲକାତାରେ ସଂକ୍ରମଣ କମୁଛି। କିନ୍ତୁ ମହାରାଷ୍ଟ୍ର, କେରଳରେ ବଢ଼ୁଛି। ଜୁଲାଇ ୮ରେ ଶେଷ ହେଉଥିବା ସପ୍ତାହରେ ଦେଶର ୬୬ ଜିଲ୍ଲାରୁ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ରାଜସ୍ଥାନ ଏବଂ ଅରୁଣାଚଳପ୍ରଦେଶରେ ସର୍ବାଧିକ ୧୦ଟି ଲେଖାଏଁ ଜିଲ୍ଲାରେ ଟେଷ୍ଟ୍‌ ପଜିଟିଭ୍‌ ହାର ଅଧିକ ରହିଛି। ଶୁକ୍ରବାର ଦେଶରେ ୪୩,୩୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୫୨,୯୫୦ରେ ପହଞ୍ଚିଛି। ୫ଟି ରାଜ୍ୟରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି। କେରଳରେ ସର୍ବାଧିକ ୧୩,୭୨୨ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯,୦୮୩, ତାମିଲନାଡ଼ୁରେ ୩,୨୧୧, ଆନ୍ଧ୍ରପ୍ରଦେଶରେ ୨,୯୮୨ ଏବଂ ଆସାମରେ ୨,୬୪୪ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୯୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ମୃତ୍ୟୁସଂଖ୍ୟା ୪,୦୫,୯୩୯କୁ ବୃଦ୍ଧି ପ‌ାଇଛି।

ସମ୍ବନ୍ଧିତ ଖବର