ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ ନିଖୋଜ ହୋଇଥିବା ଲ୍ୟାଣ୍ଡର ବିକ୍ରମର ସନ୍ଧାନ ପାଇଲା ଇସ୍ରୋ

ବେଙ୍ଗାଲୁରୁ: ଭାରତ ପାଇଁ ଖୁସି ଖବର। ଅକ୍ଳାନ୍ତ ପରିଶ୍ରମ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅବତରଣର ଅବ୍ୟହିତ ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ନିଖୋଜ ହୋଇଯାଇଥିବା ‘ଲ୍ୟାଣ୍ଡର ବିକ୍ରମ’ର କମାଣ୍ଡ ପାଇବାକୁ ସକ୍ଷମ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ସ୍ଥାପିତ ହୋଇପାରି ନାହିଁ। ସମ୍ପର୍କ ପୁନଃ କାର୍ଯ୍ୟକାରୀ କରିବାକୁ ଇସ୍ରୋର ବୈଜ୍ଞାନିକମାନେ ନିରନ୍ତର ପ୍ରୟାସ ଚଳାଇଛନ୍ତି।

ଇସ୍ରୋ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଏବେ ବି ଚନ୍ଦ୍ରର କକ୍ଷପଥରେ ଘୂର୍ଣ୍ଣାୟମାନ ଅବସ୍ଥାରେ ଥିବା ଚନ୍ଦ୍ରଯାନ-୨ରୁ ଏହି ତଥ୍ୟ ଜଣାପଡ଼ିଛି। ଚନ୍ଦ୍ରଯାନ-୨ ପଠାଇଥିବା ‘ଲ୍ୟାଣ୍ଡର ବିକ୍ରମ’ର ଅବସ୍ଥିତିକୁ ଇସ୍ରୋର ବୈଜ୍ଞାନିକମାନେ ଜାଣିପାରିଛନ୍ତି। ତେବେ ଇସ୍ରୋ ସହ ‘ଲ୍ୟାଣ୍ଡର ବିକ୍ରମ’ର ଯୋଗାଯୋଗ ବ୍ୟବସ୍ଥା ଛିନ୍ନ ହେବାପରେ ‘ଲ୍ୟାଣ୍ଡର ବିକ୍ରମ’ର ଅବସ୍ଥା କେଉଁସ୍ଥିତିରେ ରହିଛି। ତାହାକୁ ଜାଣିବା ପାଇଁ ଇସ୍ରୋର ବୈଜ୍ଞନିକମାନେ ଉଦ୍ୟମ ଚଳାଇଥିବା  ଏକ ସାକ୍ଷାତକାରରେ କହିଛନ୍ତି ଇସ୍ରୋର ମୁଖ୍ୟ କେ ଶିବମ।

ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ, ଗତ ଶନିବାର ରାତି ୧.୩୦ରୁ ୨.୩୦ ମିନିଟ୍‌ ମଧ୍ୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ସୂକ୍ଷ୍ମ ଅବତରଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ‘ଲ୍ୟାଣ୍ଡର ବିକ୍ରମ’ ସହ ଇସ୍ରୋ ଯୋଗାଯୋଗ ବିଛିନ୍ନ ହୋଇଥିଲା।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ସନ୍ଧାନ ମିଳିଯିବା ପରେ ‘ଲ୍ୟାଣ୍ଡର ବିକ୍ରମ’ ସହିତ ଆଉଥରେ ଯୋଗାଯୋଗ ସ୍ଥାପିତ କରିବା ପାଇଁ ଇସ୍ରୋର ବୈଜ୍ଞାନିକମାନେ ଏବେ ସେମାନଙ୍କ ରାତିଦିନ ଏକ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର