ନୂଆଦିଲ୍ଲୀ: ଭାରତରେ #ମି ଠୁ ଅଭିଯାନର ପ୍ରଭାବ ଦିନକୁ ଦିନ ପ୍ରବଳ ମାତ୍ରାରେ ଦେଖିବାକୁ ମିଳୁଛି । ପୂର୍ବରୁ ଏହାକୁ ସେତେଟା ଗୁରୁତ୍ୱ ଦିଆ ଯାଉ ନଥିବା ବେଳେ ଏବେ ଏହି ଅଭିଯାନ ମାଧ୍ୟମରେ ନିଜ ଦୁଃଖ ଜଣାଉଛନ୍ତି ମହିଳା । ଏହି ଅଭିଯାନର ଶିକାର ନେତା, ଅଭିନେତା, ନିର୍ଦ୍ଦେଶକ, ସାମ୍ବାଦିକ, ହାସ୍ୟ ଅଭିନେତା, ସାହିତ୍ୟ ଏବଂ ଖେଳ ଜଗତର ଅନେକ ବଡ଼ ବଡ଼ ହସ୍ତି ହୋଇ ସାରିଥିବା ବେଳେ ଏବେ ଏହି ଅଭିଯାନ ସ୍କୁଲରେ ଯାଇ ପହଞ୍ଚିଥିବା ଜଣା ପଡ଼ିଛି ।
ଦିଲ୍ଲୀରେ ଥିବା ଏକ ସ୍କୁଲର ପୂର୍ବ ଛାତ୍ର ଯିଏ ଏବେ ପେଶାରେ ଜଣେ ସାମ୍ବାଦିକ,ଏକ ବ୍ଲଗ୍ ଲେଖି ନିଜ ସହ ଘଟିଥିବା ଯୌନ ଶୋଷଣର ଅଭିଯୋଗ ଆଣିଥିବା ଦେଖା ଯାଇଛି । ଦିଲ୍ଲୀରେ ରହୁଥିବା ସଞ୍ଜୟ ନିଜ ବ୍ଲଗ୍ରେ ହଷ୍ଟେଲର ଦିନ ସବୁ ମନେ ପକାଇଥିବା ଦେଖା ଯାଇଛି । ବ୍ଲଗ୍ରେ ସେ ସେଣ୍ଟ ଷ୍ଟିଫେନ୍ ସ୍କୁଲରେ ପଢ଼ୁଥିଲେ ବୋଲି ଲେଖିବା ସହ ସ୍କୁଲର ସଂସ୍ଥାପକ ହେରୋଲ୍ଡ଼ କାର୍ବର ହଷ୍ଟେଲ ପିଲାମାନଙ୍କ ସହ ଯୌନ ଶୋଷଣ କରୁଥିଲେ ବୋଲି ଲେଖିଛନ୍ତି ।
/sambad/media/post_attachments/wp-content/uploads/2018/10/metoo-1539084944-1539439109-300x225.jpg)
ନିଜ ବ୍ଲଗ୍ରେ ସଞ୍ଜୟ କାର୍ବରଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଥିବା ଦେଖାଯାଇଛି । ଥରେ କାର୍ବର ସଞ୍ଜୟଙ୍କୁ ନିଜ କେବିନ୍କୁ ଡ଼ାକି ଶାରୀରିକ ସଂପର୍କ ରଖିବା କଥା କହିଥିଲେ । ଏପରି କଲେ ତୁମ ଜୀବନ ବଦଳିଯିବ ବୋଲି କହି କାର୍ବର ସଞ୍ଜୟଙ୍କୁ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ସେ ସମୟରେ ତାଙ୍କୁ ମାତ୍ର ୧୫ବର୍ଷ ବୟସ ହୋଇଥିଲା ବୋଲି ସଞ୍ଜୟ କହିଛନ୍ତି । ଅନ୍ୟ ପକ୍ଷରେ ସଞ୍ଜୟଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲର ଜଣେ କର୍ମଚାରୀ ଲୁଇସ୍ ଲୋପେଜ୍ । କାର୍ବରଙ୍କୁ ଲୋକେ ଏକତା ଏବଂ ଅଖଣ୍ଡତା ପାଇଁ ଜାଣନ୍ତି । ଏବେ ଦେଶରେ #ମି ଠୁ ଅଭିଯାନର ପ୍ରଭାବ ରହିଥିବାରୁ କିଏ କେଉଁଠୁ ଆସି କିଛି ବି କହିବାରେ ଲାଗିଛି । ଏହା କେବଳ କାର୍ବରଙ୍କ ଛବିକୁ ନଷ୍ଟ କରିବାର ପ୍ରୟାସ ବୋଲି ଲୁଇସ୍ ମତ ରଖିଛନ୍ତି ।