ଇଣ୍ଡିଆନ ଏକ୍ସପ୍ରେସ ଭାରତୀୟ-୨୦୨୨: ୧୦୦ ସର୍ବାଧିକ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ୪ ଓଡ଼ିଆ

ନବୀନ, ଧର୍ମେନ୍ଦ୍ର, ଶକ୍ତିକାନ୍ତ ଉପରକୁ ଉଠିଲେ
ତାଲିକାରେ ଅଶ୍ବିନୀ ବୈଷ୍ଣବ, ତୁହିନକାନ୍ତ

ନୂଆଦିଲ୍ଲୀ : ଇଂରାଜୀ ଖବରକାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ‘୧୦୦ ସର୍ବାଧିକ କ୍ଷମତାଶାଳୀ ଭାରତୀୟ -୨୦୨୨’ ତାଲିକାରେ ୪ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର। ଶ୍ରୀ ପ୍ରଧାନ ୧୮ତମ ସ୍ଥାନରେ ଥିବା ବେଳେ ଆର୍‌ବିଆଇ ଗଭର୍ଣ୍ଣର ଶ୍ରୀ ଦାଶ ୨୧ତମ ସ୍ଥାନ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩୩ତମ ସ୍ଥାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ମିଶ୍ର ୬୫ତମ ସ୍ଥାନରେ ରହିଛନ୍ତି। ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ- ଦ୍ବିତୀୟ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ- ତୃତୀୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା-ଚତୁର୍ଥ, ଆର୍‌ଆଇଏଲ୍‌ ସିଏମ୍‌ଡି ମୁକେଶ ଅମ୍ବାନୀ-ପଞ୍ଚମ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ- ଷଷ୍ଠ, ଆଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନି- ସପ୍ତମ, ଏନ୍‌ଏସ୍‌ଏ ଅଜିତ ଡୋଭାଲ- ଅଷ୍ଟମ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ- ନବମ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ- ଦଶମ ସ୍ଥାନରେ ରହିଛନ୍ତି।

୨୦୨୧ ତାଲିକାରେ ଡ. ମିଶ୍ରଙ୍କ ର‍୍ୟାଙ୍କ ୨୦, ଆର୍‌ବିଆଇ ଗଭର୍ଣ୍ଣର ଶ୍ରୀ ଦାଶଙ୍କ ର‍୍ୟାଙ୍କ୍‌ ୨୯, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ର‍୍ୟାଙ୍କ୍‌ ୪୫ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ର‍୍ୟାଙ୍କ୍‌ ୯୫ ଥିଲା। ତାଲିକାରେ ଶ୍ରୀ ପ୍ରଧାନଙ୍କ ର‍୍ୟାଙ୍କ୍ ୯୫ ରୁ ୧୮ କୁ ଉନ୍ନୀତ ହୋଇଛି। ଏହାର କାରଣ ଉଲ୍ଲେଖ କରିବାକୁ ଯାଇ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ କୁହାଯାଇଛି ଯେ ଶ୍ରୀ ପ୍ରଧାନ ସାତ ବର୍ଷ ଧରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଥିଲେ ଓ ଉଜ୍ଜ୍ବଳା ଯୋଜନାର ପରିକଳ୍ପନା କରିଥିଲେ। ୨୦୨୧ ଜୁଲାଇ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ବ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଭାରୀ ଭାବେ ବିଜେପିକୁ ପୁଣି ଥରେ ‌କ୍ଷମତାସୀନ କରିବାରେ ତାଙ୍କର ବିଶେଷ ଭୂମିକା ଥିଲା। ଶ୍ରୀ ପ୍ରଧାନ ନୂଆ ଶିକ୍ଷାନୀତି ଲାଗୁ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଓ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ପରେ ସଭାପତି ପଦ ପାଇଁ ସେ ସବୁଠୁ ବଡ଼ ଦାବିଦାର ଅଛନ୍ତି। ଶ୍ରୀ ପ୍ରଧାନଙ୍କ ସହ ଆର୍‌ବିଆଇ ଗଭର୍ଣ୍ଣର ଶ୍ରୀ ଦାଶଙ୍କ ର‍୍ୟାଙ୍କ ୨୯ ରୁ ୨୧ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ର‍୍ୟାଙ୍କ ୪୫ ରୁ ୩୩କୁ ଉଠିଛି। ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ମିଶ୍ରଙ୍କ ର‍୍ୟାଙ୍କ୍‌ ୨୦ ରୁ ୬୫ ସ୍ଥାନକୁ ଖସିଛି।

ନବୀନ ପଟ୍ଟନାୟକଙ୍କ ସଂପର୍କରେ କୁହାଯାଇଛି ଯେ ସେ କେବଳ ଦୀର୍ଘ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିନାହାନ୍ତି, ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟାରେ ଜିତିଛି। ଶ୍ରୀ ପଟ୍ଟନାୟକ ବର୍ତ୍ତମାନ ଓଡ଼ିଶାର ନିର୍ବିବାଦ ନେତା। ସେହିଭଳି ଡ. ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚେହେରା। ପ୍ରଧାନମନ୍ତ୍ରୀଙ୍କ ଖାସ୍‌ ଲୋକ ଭାବେ ସେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳୁଛନ୍ତି। ତାଲିକାର ୧୬ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ଥାନ ପାଇଛନ୍ତି। ଗାନ୍ଧି ପରିବାରରୁ ସୋନିଆ ଗାନ୍ଧି ୨୭ତମ ସ୍ଥାନ, ରାହୁଲ ଗାନ୍ଧି ୫୧ତମ ଓ ପ୍ରିୟଙ୍କା ଗାନ୍ଧି ୭୫ତମ ସ୍ଥାନରେ ରହିଛନ୍ତି।

ପ୍ରଥମ ଥର ପାଇଁ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ତଥା କେନ୍ଦ୍ର ପୁଞ୍ଜି ନିବେଶ ଓ ସାର୍ବଜନୀନ ସଂପତ୍ତି ପରିଚାଳନା (ଡିଆଇପିଏଏମ୍‌) ବିଭାଗ ସଚିବ ତୁହିନକାନ୍ତ ପାଣ୍ଡେ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ୪୯ତମ ସ୍ଥାନରେ ଶ୍ରୀ ବୈଷ୍ଣବ ଥିବା ବେଳେ ଶ୍ରୀ ପାଣ୍ଡେ ୮୬ତମ ସ୍ଥାନରେ ରହିଛନ୍ତି। ଶ୍ରୀ ବୈଷ୍ଣବ ରେଲୱେର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ସହ ଏହି ବିଭାଗରେ ବ୍ୟାପକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଶ୍ରୀ ପାଣ୍ଡେ କେନ୍ଦ୍ର ସରକାରଙ୍କ ନିବେଶ ନୀତିକୁ କ୍ରିୟାନ୍ବୟନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର