ମୁମ୍ବାଇ : ମହାରାଷ୍ଟ୍ରରେ ଗୋଟିଏ ପରିବାରର ୩ରୁ ୧୨ ବର୍ଷ ବର୍ଷ ବୟସର ୪ ଜଣ ପିଲାଙ୍କୁ ଆଜି ନିର୍ମମ ଭାବେ ହତ୍ୟା କରାଯାଇଛି। ଜଲ୍ଗାଓଁର ବୋରଖେଡ଼ା ଗ୍ରାମରେ ବାପା ମା’ କାମକୁ ଯାଇଥିବା ବେଳେ ସେମାନଙ୍କ ୪ ପୁଅ ଝିଅଙ୍କୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ତେବେ କିଏ ଏବଂ କାହିଁକି ଏପରି ବୀଭତ୍ସ କାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ।
ଗ୍ରାମରେ କିଛି ବର୍ଷ ହେଲା ରହୁଥିବା ମେହତାବ ଏବଂ ତାଙ୍କ ପତ୍ନୀ ରୁମାଲି ଭିଲାଲାଙ୍କ ନିଜ ଘର ମଧ୍ୟପ୍ରଦେଶରେ। ସେମାନେ କାମ ପାଇଁ ମଧ୍ୟପ୍ରଦେଶରୁ ଜଲ୍ଗାଓଁ ଚାଲି ଆସିଥିଲେ। ଜଲ୍ଗାଓଁରେ ଜଣେ ଜମି ମାଲିକଙ୍କ ଜମିରେ ସେମାନେ କାମ କରନ୍ତି। ଆଜି ଉଭୟ ମେହତାବ ଏବଂ ଭିଲାଲା କାମକୁ ଯାଇଥିବା ବେଳେ ଜମି ମାଲିକ ମୁସ୍ତାଫା ସେମାନଙ୍କ ୪ ପିଲାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଏକ କୁରାଢ଼ିରେ ହତ୍ୟା କରାଯାଇଥିବା ପୁଲିସ କହିଛି। ହତ୍ୟାର ଶିକାର ହୋଇଥିବା ଏହି ପିଲାମାନେ ହେଲେ ସାଇତା (୧୨), ରାୱଲ୍ (୧୧), ଅନିଲ (୮) ଏବଂ ସୁମନ୍ (୩) । ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ ହୋଇଛି। ଜଣେ ଆଇପିଏସ୍ ଅଫିସର ଏହି ଟିମ୍ର ନେତୃତ୍ବ ନେବେ। ତେବେ କେଉଁ କାରଣ ପାଇଁ ଏହି ପିଲାମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନି।