ଆନ୍ତର୍ଜାତିକ ସୀମାରେ ପାକିସ୍ତାନୀ ସୈନ୍ୟଙ୍କ ଗୁଳିଗୋଳା ବର୍ଷଣ: ୪ ଭାରତୀୟ ନାଗରିକ ନିହତ

ଜମ୍ମୁ: ଆଜି ଜମ୍ମୁ, କଠୁଆ ଏବଂ ସମ୍ବା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାରେଖା ଅଞ୍ଚଳ ଓ ଭାରତୀୟ ଗାଁଗଣ୍ଡାରେ ପାକିସ୍ତାନୀ ସୈନିକମାନେ ମୋର୍ଟାର୍‌ ସେଲିଙ୍ଗ୍‌ ଏବଂ ଗୁଳି ଚଳାଇବା କାରଣରୁ ୪ ଜଣ ନାଗରିକ ନିହତ ହେବା ସହ ଅନ୍ୟ ୯ ଜଣ ଆହତ ହୋଇଛନ୍ତି।

ଆଜିକୁ ମିଶାଇ ଜମ୍ମୁ, କଠୁଆ ଏବଂ ସମ୍ବା ଆଦି ଜିଲ୍ଲା ଅଞ୍ଚଳ ଦେଇ ଯାଇଥିବା ଆନ୍ତର୍ଜାତିକ ସୀମା ଏବଂ ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନୀ ସୈନିକମାନଙ୍କର କ୍ରମାଗତ ୯ ଦିନ ଧରି ଗୁଳିଗୋଳା ଚଳାଇଲେଣି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହନ୍ତି: ସକାଳ ୯ଟା ବେଳେ ସାମ୍ଭାରେ ଆରମ୍ଭ ହୋଇଥିବା ଗୁଳିଗୋଳା କ୍ଷେପଣ ଯୋଗୁଁ ଦୁଇ ଜଣ ନାଗରିକ ନିହତ ହେବା ସହ ୬ଜଣ ଆହତ ହୋଇଛନ୍ତି।

କଠୁଆ ଜିଲ୍ଲାର ନାଗରିକ ଅଞ୍ଚଳ ଏବଂ ପୋଷ୍ଟ୍‍ ଉପରକୁ ମଧ୍ୟ ପାକିସ୍ତାନୀ ରେଞ୍ଚର୍‌ମାନେ ଆକ୍ରମଣ କରିଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀ କହନ୍ତି: ପାହାନ୍ତା ପହର ପୂର୍ବରୁ କଠୁଆ ଜିଲ୍ଲା ଅନ୍ତର୍ଗତ ହରିନଗର ସେକ୍ଟର୍‌ ଅଞ୍ଚଳର ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ନାଗରିକ ଅଞ୍ଚଳ ଏବଂ ପୋଷ୍ଟ୍‍ ସବୁ ଉପରେ ପ୍ରବଳ ଗୁଳିଗୋଳା ବର୍ଷଣ ହୋଇଛି।

ଗୁଳିଗୋଳା ନିକ୍ଷେପ ଯୋଗୁଁ ଆହତ ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଡାକ୍ତରଖାନା ଯିବା ବାଟରେ ଜଣଙ୍କର ଦେହାନ୍ତ ହୋଇ ଯାଇଛି। ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର