ଦୂଷିତ ଜଳ ପିଇ ୪ ଜଣଙ୍କ ମୃତ୍ୟୁ ମାମଲା: ମୃତକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ର ଆଦିବାସୀବହୁଳ ଗାଁରେ ଦୂଷିତ ଜଳ ପିଇ ଡାଇରିଆରେ ମୃତ୍ୟୁବରଣ କରିଥିବା ୪ ଜଣ ବ୍ୟକ୍ତିଙ୍କ ପରିବାରବର୍ଗକୁ ଲକ୍ଷେ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚୂଡ଼ାନ୍ତ ରିମାଇଣ୍ଡର୍ ଜାରି କରିଛନ୍ତି।

ପ୍ରକାଶ୍ୟ ଯେ, ୨୦୧୬ ଜୁଲାଇ ୭ରେ ଔପଦା ବ୍ଲକ୍‌ର ଆଦିବାସୀବହୁଳ ଗାଁରେ ଦୂଷିତ ଜଳ ପିଇ ଡାଇରିଆରେ ୭ ଜଣଙ୍କର ମୃତ୍ୟୁ ହେବା ସହ ୨୬ ଜଣ ପ୍ରଭାବିତ ହୋଇଥିବା ନେଇ ଜାତୀୟ ମାନବାଧିକାର ଆୟୋଗ‌‌ରେ ସୁପ୍ରିମ୍‌କୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ପଟିସନ ଦାଖଲ କରାଯାଇଥିଲା। ଗ୍ରାମବାସୀଙ୍କୁ ପାଇପ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଇବା, ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ତଥା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଥିଲା। ଏହାପରେ ଏନ୍‌ଏଚ୍‌ଆର୍‌ସି ମୃତକ ଚାରିଜଣ- ସସ୍ମିତା ପାତ୍ର, ସନାତନ ଝରିଆ, ପବିତ୍ର ସେନାପତି ଓ ଗୌରମଣି ପାତ୍ରଙ୍କୁ ଲକ୍ଷେ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ସହ ଏହାର ପ୍ରମ‌ାଣ ଛଅ ସପ୍ତାହ ମଧ୍ୟରେ ପଠାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆୟୋଗଙ୍କ ନିର୍ଦ୍ଦେଶ ସତ୍ତ୍ବେ କ୍ଷତିପୂରଣ ପ୍ରଦାନ କାରଯାଇ ନ ଥିବାରୁ ଆଦେଶର ଅନୁପାଳନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଚୂଡ଼ାନ୍ତ ରିମାଇଣ୍ଡର ପଠାଯାଇଛି। ଅପରପକ୍ଷେ ଦେଶରେ ସ୍ବଚ୍ଛ ପିଇବା ପାଣି ଉପଲବ୍ଧ କରାଇବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଏନ୍‌ଏଚ୍‌ଆର୍‌ସି କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ କହିଛନ୍ତି।

ସମ୍ବନ୍ଧିତ ଖବର