୪୭ ଜିଲ୍ଲାରେ ୧୪ ଦିନ ଧରି କରୋନା ନାହିଁ, ୩ ଜିଲ୍ଲାରେ ଭାଇରସ୍‌ ୧୪ ଦିନ ପରେ ଫେରିଛି

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ରୋକିବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ‌ଯୋଗୁଁ ଦେଶର ଅଧିକାଂଶ ଅଂଚଳରେ ଭାଇରସ୍‌କୁ ନିୟନ୍ତ୍ରଣ କରାଯାଇ ପାରିଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୨୩ଟି ରାଜ୍ୟର ୪୭ ଜିଲ୍ଲାରେ ୧୪ ଦିନ କିମ୍ବା ଏହାଠାରୁ ଅଧିକ ସମୟ ଧରି କରୋନାର କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଏହି ଜିଲ୍ଲାଗୁଡ଼ିକରେ ପୂର୍ବରୁ ସଂକ୍ରମିତ ରୋଗୀ ମିଳିଥିଲା। ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେବା ଏବଂ ଅନ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ୧୪ ଦିନ ପର୍ଯ୍ୟନ୍ତ ଆଉ ନୂଆ ମାମଲା ଆସିନଥିବାରୁ ଏହା ବଡ଼ ଆଶ୍ବସ୍ତିର କାରଣ ହୋଇଛି।

ପୁଡୁଚେରୀ ଏବଂ କର୍ଣ୍ଣାଟକର କୋଡ଼ଗୁ ଜିଲ୍ଲାରେ ବିଗତ ୨୮ ଦିନ ଧରି କୌଣସି ନୂଆ ମାମଲା ଆସିନାହିଁ। ଅନ୍ୟ ୩ଟି ରାଜ୍ୟର ୩ ଜିଲ୍ଲା ଏଭଳି ରହିଛି ଯେଉଁଠି ବିଗତ ୧୪ ଦିେ ଗୋଟିଏ ବି ମାମଲା ନଥିଲା, କିନ୍ତୁ ସେଠାରେ ଏବେ ମାମଲା ଚିହ୍ନଟ ହୋଇଛି। ବିହାରର ରାଜଧାନୀ ପାଟନା, ପଶ୍ଚିମବଂଗର ନଦିୟା ଏବଂ ହରିୟାଣାର ପାନିପଥରେ ୧୪ ଦିନ ପର୍ଯ୍ୟନ୍ତ କୌଣସି ମାମଲା ନଥିବା ବେଳେ ସେଠାରେ ଏବେ ନୂଆ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି । ଏଭଳି ସ୍ଥିତିରେ ସବୁ ଅଂଚଳରେ ସତର୍କତା ବଜାୟ ରଖିବା ଜରୁରୀ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧିତ ଖବର