ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ପାକିସ୍ତାନର ଗରିବ ଲୋକମାନେ ଦିନକୁ ଓଳିଏ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ପବିତ୍ର ରମଜାନ ମାସରେ ମାଗଣା ଅଟା ପାଇବା ଆଶାରେ ଅତି କମରେ ଚାରିଜଣ ବୃଦ୍ଧଙ୍କ ଜୀବନ ଗଲାଣି।
ସରକାରୀ ବଣ୍ଟନ କେନ୍ଦ୍ରରୁ ମାଗଣା ଅଟା ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗତ କିଛି ଦିନ ମଧ୍ୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅତି କମରେ ୪ଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି। ଆକାଶଛୁଆଁ ମୁଦ୍ରାସ୍ଫୀତି ମଧ୍ୟରେ ପଞ୍ଜାବ ପ୍ରଦେଶରେ ଗରିବ ଲୋକଙ୍କୁ ଖାଇବାକୁ ଦେବା ପାଇଁ ଏକ ମାଗଣା ଅଟା ଯୋଜନା ଆରମ୍ଭ ହୋଇଥିଲା, କିନ୍ତୁ ଏହି ଯୋଜନା ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି।
ସ୍ଥାନୀୟ ସରକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ କିଛି ଦିନ ତଳେ ଗହମ ଅଟା ପାଇବାକୁ ଚେଷ୍ଟା କରୁଥିବା ବେଳେ ମୁଲତାନ, ମୁଜାଫରଗଡ ଏବଂ ଫୈସଲାବାଦରେ ରହୁଥିବା ଚାରିଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହା ସହ ଅନେକ ଅଚେତ ହୋଇଯାଇଥିଲେ। ଦଳାଚକଟାରେ ୨ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବାରୁ ଅନ୍ୟ ୨ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା।
ଏହା ପୂର୍ବରୁ ଖବର ମିଳିଥିଲା ଯେ, ପାକିସ୍ତାନରେ ମହଙ୍ଗା ମାଡ଼ ଏବେ ଲୋକଙ୍କ ରହିବା ମୁସ୍କିଲ୍ କରିସାରିଲାଣି। ପାକିସ୍ତାନରେ ଦୁଗ୍ଧ ଲିଟର୍ ପିଛା ୧୫୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ରହିଛି ୨୧୩ ଟଙ୍କା। ସେହିପରି ଅଣ୍ଡା ଗୋଟାକ ୨୧ ଟଙ୍କା ହୋଇଥିବା ବେଳେ ଚିକେନ୍ କିଲୋ ୫୫୦ ଟଙ୍କା, କମଳା କିଲୋ ୧୬୯ ଟଙ୍କା, ଆଳୁ କିଲୋ ୬୬ ଟଙ୍କା ଓ ଟମାଟର୍ କିଲୋ ୧୨୬ ଟଙ୍କା ରହିଛି।