ପର୍ବତରୁ ପଥର ଗଡ଼ି ଆସି ମିନି ବସ୍‌ ଉପରେ ପଡ଼ିବାରୁ ୪ ଆଇଟିବିପି କର୍ମଚାରୀ ନିହତ; ୮ ଆହତ

ଇଟାନଗର: ଶୁକ୍ରବାର ଦିନ ଅରୁଣାଚଳ ପ୍ରଦେଶର ତଳ ସିଆଙ୍ଗ୍‌ ଜିଲ୍ଲା ଅନ୍ତର୍ଗତ ବାସର-ଅକାଜାନ ରାସ୍ତାରେ ଯାଉଥିବା ଗାଡ଼ି ଉପରେ ପର୍ବତ ଉପରୁ ଗୋଟାଏ ପ୍ରକାଣ୍ଡ ପଥର ଖଣ୍ଡ ପଡ଼ିବାରୁ ସେଥିରେ ଥିବା ଇଣ୍ଡୋ-ତିବ୍ଦେତାନ୍‌ ସୀମା ପୁଲିସର ୪ ଜଣ କର୍ମଚାରୀ ଛେଚି ହୋଇ ମରିଛନ୍ତି। ମୌସୁମୀ ବର୍ଷାରେ ସେ ପଥର ଖଣ୍ଡଟି ହୁଗୁଳା ହୋଇ ଯାଇଥିବା କଥା ପୁଲିସ କହିଛି।

ତଳ ସିଆଙ୍ଗ୍‌ର ଜିଲ୍ଲା ମୁଖ୍ୟାଳୟ ଲିକାବାଲି ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଦୁର୍ଘଟଣା ଘଟିଥିଲା। କର୍ମଚାରୀମାନେ ପଶ୍ଚିମ ସିଆଙ୍ଗ୍‌ ଜିଲ୍ଲାର ବସାରରୁ ସେଠାକୁ ଯାଉଥିଲେ ବୋଲି ପୁଲିସ କହିଛି।

ପର୍ବତ ଢାଲୁ ଦେଇ ଗଡ଼ି ଆସିଥିବା ପଥର ଖଣ୍ଡଟି ୨୦ ଜଣ ଆଇଟିବିପି କର୍ମଚାରୀଙ୍କୁ ନେଇ ଯାଉଥିବା ମିନି ବସ୍‌କୁ ଧ୍ୱଂସ କରି ପକାଇଥିଲା। ଘଟଣାସ୍ଥଳରେ ୪ ଜଣ ଆଇଟିବିପି କର୍ମଚାରୀ ମୃତ୍ୟୁବରଣ କରିଥିଲେ। ଆଇଟିବିପି ଏବଂ ରାଜ୍ୟ ପୁଲିସର ମିଳିତ ଉଦ୍ଧାରକାରୀ ଦଳ ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣାସ୍ଥଳରୁ ୩ଟି ଶବ ଉଦ୍ଧାର କରିଥିବା କଥା ତଳ ସିଆଙ୍ଗ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସିଙ୍ଗ୍‌ଜତଲା ସିଙ୍ଗ୍‌ଫୋ କହିଛନ୍ତି।
ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଏହା ହେଉଛି ଭୂସ୍ଖଳନ ସମ୍ବନ୍ଧୀୟ ଦ୍ୱିତୀୟ ଘଟଣା। ଏ ବର୍ଷ ମୌସୁମିରେ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲାଣି।

ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ ଥିବାରୁ ଗାଡ଼ି ଧୀରେ ଧୀରେ ଯାଉଥିବା ବେଳେ ପଥରଖଣ୍ଡ ଆସି ତା’ ଉପରେ ଓଜାଡ଼ି ହୋଇ ପଡ଼ିଥିଲା।

ଏଥିରେ ଅନ୍ୟ ଆଠ ଜଣ କର୍ମଚାରୀ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସାଙ୍ଘାତିକ ହୋଇଥିଲା। ସେ ଦୁଇ ଜଣଙ୍କୁ ଲିକାବାଲିସ୍ଥିତ ସେନା ହସ୍‌ପିଟାଲ୍‌କୁ ନିଆ ଯାଇଛି। ସାମାନ୍ୟ ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।

ବରାବର ପର୍ବତରୁ ପଥର ଖଣ୍ଡମାନ ଗଡ଼ି ଆସୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିବା କଥା କହିଛନ୍ତି ଏସ୍‌ପି।

ସମ୍ବନ୍ଧିତ ଖବର