ନୂଆଦିଲ୍ଲୀ : ଶନିବାର ସମସ୍ତଙ୍କୁ ଚକିତ କରି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ସନ୍ଧ୍ୟା ସୁଦ୍ଧା ବିଜେପି ହାଇକମାଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହାଙ୍କ ନାମ ଘୋଷଣା କରିଥିଲେ। ତେବେ ଏହା ବିଜେପିର ପ୍ରଥମ ପରୀକ୍ଷଣ ନୁହେଁ। ପୂର୍ବରୁ ଉତ୍ତରାଖଣ୍ଡ, ଗୁଜରାଟ ଓ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି। ଉତ୍ତରପୂର୍ବାଞ୍ଚଳର ଚାରୋଟି ରାଜ୍ୟରେ ଏବେ ବିଜେପି ଶାସନ କରୁଛି। କଂଗ୍ରେସ ଛାଡ଼ି ଗୈରିକ ଦଳରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପରି ଉଚ୍ଚ ପଦଭାର ପ୍ରଦାନ କରିଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଆଉ କେତେଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ଏଠାରେ ନିଆଯାଇପାରେ ଯେଉଁମାନେ ସର୍ବ ପୁରାତନ ଦଳ ଛାଡ଼ି ବିଜେପିରେ ଯୋଗ ଦେବା ପରେ ଏପରି ଉଚ୍ଚପଦ ପାଇଛନ୍ତି।
/sambad/media/post_attachments/wp-content/uploads/2022/05/himanta-300x169.jpg) DNA India
 DNA Indiaଆସାମ: ହିମନ୍ତ ବିଶ୍ବଶର୍ମା
ହିମନ୍ତ ବିଶ୍ବଶର୍ମା ୨୦୨୧ରେ ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସର୍ବାନନ୍ଦ ସୋନୋୱାଲଙ୍କ ସ୍ଥାନରେ ତାଙ୍କୁ ଏହି ପଦଭାର ଦିଆଯାଇଛି। ହିମନ୍ତ କଂଗ୍ରେସ ଛାଡ଼ି ୨୦୧୫ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୬ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ ସମୟରେ ହିମନ୍ତଙ୍କ ଆକ୍ରମଣାତ୍ମକ ନିର୍ବାଚନ ପ୍ରଚାର ଯୋଗୁ ବିଜେପି ବିଜୟୀ ହେଲା ବୋଲି କୁହାଯାଉଛି। ଆସାମର ଜାଲୁକବାରି ବିଧାନସଭା ଆସନରୁ ସେ କ୍ରମାଗତ ପଞ୍ଚମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସୋନୋୱାଲଙ୍କ ସରକାରରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିଲା। ୨୦୨୧ ନିର୍ବାଚନରେ ଶର୍ମା ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ବିଜେପି ଦ୍ବାରା ତାଙ୍କୁ ଉତ୍ତର-ପୂର୍ବ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଇଡିଏ)ର ଆବାହକ କରାଯାଇଥିଲା। ଉତ୍ତରପୂର୍ବାଞ୍ଚଳର ଅନେକ ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବାରେ ହିମନ୍ତ ବିଶ୍ବଶର୍ମାଙ୍କ ଅବଦାନ ରହିଛି।
/sambad/media/post_attachments/wp-content/uploads/2022/05/N-Biren-Singh-300x163.jpg) Telangana Today
 Telangana Todayମଣିପୁର: ଏନ୍ ବୀରେନ୍ ସିଂହ
ଏନ୍ ବୀରେନ୍ ସିଂହ ୨୦୧୬ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତା’ର ଠିକ୍ ବର୍ଷକ ପରେ ହୋଇଥିଲା ମଣିପୁର ବିଧାନସଭା ନିର୍ବାଚନ। ୧୫ ବର୍ଷ ପରେ ଏକ ଅଣ-କଂଗ୍ରେସ ସରକାର ଗଢ଼ାହେଲା ଏବଂ ବିଜେପି ଏନ୍ ବୀରେନ୍ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କଲା। ସେ ହେଲେ ମଣିପୁରରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ବୀରେନ୍ ସିଂହ ଇବୋଦି ସିଂହଙ୍କ ନେତୃତ୍ବାଧୀନ ସରକାରରେ ମନ୍ତ୍ରୀ ଥିଲେ କିନ୍ତୁ ସେ ପ୍ରଦେଶ କଂଗ୍ରେସ କମିଟିରୁ ଇସ୍ତଫା ଦେଇଥିଲେ। ୨୦୨୨ ନିର୍ବାଚନରେ ମଣିପୁରରେ ବିଜେପି ଏନ୍ ବୀରେନ୍ ସିଂହଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲା। ବୀରେନ୍ ଜଣେ ଫୁଟବଲ ଖେଳାଳିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ରେ ଯୋଗ ଦେଇଥିଲେ। ହିଙ୍ଗାଙ୍ଗ ଆସନରେ ସେ ପଞ୍ଚମଥର ପାଇଁ ବିଜୟୀ ହୋଇଛନ୍ତି।
/sambad/media/post_attachments/wp-content/uploads/2022/05/nagalanda-300x198.jpg) eastmojo.com
 eastmojo.comନାଗାଲାଣ୍ଡ: ନେଫିଉ ରିଓ
ନେଫିଉ ରିଓ ହେଉଛନ୍ତି ନାଗାଲାଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କ୍ରମାଗତ ତିନିଟି ନିର୍ବାଚନ ଜିତିଛନ୍ତି। ସେ ୨୦୦୨ରେ କଂଗ୍ରେସ ତ୍ୟାଗ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏସ୍ସି ଜମିରଙ୍କ ସହ ମତଭେଦ ହେବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ନାଗା ଲୋକ ସାମ୍ମୁଖ୍ୟ (ଏନ୍ପିଏଫ୍)ରେ ଯୋଗ ଦେଲେ। ଏହାର ସ୍ଥାନୀୟ ରାଜନୈତିକ ଦଳ ଓ ବିଜେପି ସହ ମେଣ୍ଟ ଥିଲା। ତାଙ୍କ ନେତୃତ୍ବରେ ନାଗାଲାଣ୍ଡ ଗଣତାନ୍ତ୍ରିକ ମେଣ୍ଟ (ଡିଏଏନ୍) ଗଠିତ ହେଲା। ଏହି ମେଣ୍ଟ ୨୦୦୩ ବିଧାନସଭା ନିର୍ବାଚନରେ ଜିତିଲା। ଫଳରେ ୧୦ ବର୍ଷ ପରେ କଂଗ୍ରେସ କ୍ଷମତାଚ୍ୟୁତ ହେଲା ଏବଂ ରିଓ ପ୍ରଥମ ଥର ପାଇଁ ହେଲେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ। ୨୦୦୮ରେ ବି ମେଣ୍ଟ ଜିତିଲା ଏବଂ ରିଓ ଦ୍ବିତୀୟ ଥର ପାଇଁ ହେଲେ ମୁଖ୍ୟମନ୍ତ୍ରୀ। ୨୦୧୩ରେ ଏନ୍ପିଏଫ୍ ସଂଖ୍ୟାଗରିଷ୍ଠ ଆସନରେ ଜିତିଲା ଏବଂ ରିଓ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ବିଜେପି ସହ ଏନ୍ପିଏଫ୍ର ମେଣ୍ଟ ଭାଙ୍ଗି ଯିବାରୁ ରିଓ ଜାତୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ଦଳ (ଏନ୍ଡିପିପି)ରେ ଯୋଗ ଦେଲେ। ୨୦୧୮ ନିର୍ବାଚନ ପୂର୍ବରୁ ସେ ବିଜେପି ସହ ମେଣ୍ଟ କଲେ। ନିର୍ବାଚନରେ ଜିତିବା ପରେ ବିଜେପି ସହାୟତାରେ ସେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ।
/sambad/media/post_attachments/wp-content/uploads/2022/05/manik-1-300x182.jpg) opindia.com
 opindia.comତ୍ରିପୁରା: ମାଣିକ ସାହା
ମାଣିକ ସାହା ୨୦୧୬ରେ କଂଗ୍ରେସ ତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ। ଚାରିବର୍ଷ ପରେ ୨୦୨୦ରେ ତାଙ୍କୁ ରାଜ୍ୟ ବିଜେପି ସଭାପତି କରାଯାଇଥିଲା। ସେ ମଧ୍ୟ ତ୍ରିପୁରା କ୍ରିକେଟ୍ ଆସୋସିଏସନର ସଭାପତି ହେଲେ। ନିକଟରେ ତାଙ୍କୁ ରାଜସଭାକୁ ମନୋନୀତ କରାଯାଇଥିଲା। ବର୍ତ୍ତମାନ ବିପ୍ଳବ ଦେବଙ୍କ ଇସ୍ତଫା ପରେ ବୃତ୍ତିରେ ଦନ୍ତ ଚିକିତ୍ସକ ଥିବା ମାଣିକ ସାହାଙ୍କୁ ବିଜେପି ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/chief-ministers.jpg)
