ସାଗର: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଖୁରାଇ ଥାନା ଅଞ୍ଚଳରେ ଏକ ଲୋକଟାଙ୍କୁରା ଘଟଣା ଘଟିଛି । ଗୋଟିଏ ପରିବାରର ୪ ଜଣ ସଦସ୍ୟ ଜୀବନ ହାରି ଦେଇଛନ୍ତି । ଏହି ସାମୁହିକ ମୃତ୍ୟୁ ଘଟଣା ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକମାନେ ହେଲେ ମନୋହର ଲୋଧି, ତାଙ୍କ ବୃଦ୍ଧା ମାଆ ଫୁଲରାଣୀ ଲୋଧି, ଝିଅ ଶିବାନୀ ଓ ପୁଅ ଅନିକେତ । 

Advertisment

ଗତ ଶୁକ୍ରବାର ଦିନ ଏହି ସାମୁହିକ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିଥିଲା । ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ପରେ ଗାଁ ଲୋକେ ସ୍ତବ୍ଧ ପାଲଟି ଯାଇଥିଲେ । ପୁଲିସକୁ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଥିଲା । ଏଥିରେ ଉଲ୍ଲେଖ ଥିଲା ଯେ, ଜମି ଏବଂ ସମ୍ପତ୍ତିର ବିଭାଜନ ହେଉଛି ଏହି କାଣ୍ଡର ଅନ୍ୟତମ କାରଣ। ସମ୍ପତ୍ତି ତିନି ଭାଇଙ୍କ ମଧ୍ୟରେ ବାଣ୍ଟି ଦିଆଯିବା ଉଚିତ । 

ମୃତ୍ୟୁ ପୂର୍ବରୁ ମନୋହର ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ତାଙ୍କ ମାମୁଁଙ୍କ ହିସାବ ସମାଧାନ ହୋଇସାରିଛି । ଏହି ସମଗ୍ର ମାମଲାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ମନୋହରଙ୍କ ପତ୍ନୀ ଦ୍ରୌପଦୀ ଲୋଧି ଘଟଣା ସମୟରେ ଘରେ ନଥିଲେ । ସେ ତିନି ଦିନ ପୂର୍ବରୁ ତାଙ୍କ ମା’ ଘରକୁ ଯାଇଥିଲେ । ଚାରିଟି ମୃତଦେହ ବାହାର କରିବା ପୂର୍ବରୁ ଦ୍ରୌପଦୀ ଗଣମାଧ୍ୟମକୁ ଦେଇଥିବା ବୟାନ ସମଗ୍ର ମାମଲାକୁ ଏକ ନୂତନ ମୋଡ଼ ଦେଇଛି ।

କାନ୍ଦିକାନ୍ଦି ଦ୍ରୌପଦୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ସୁରେନ୍ଦ୍ର ତାଙ୍କୁ ଗତ ଦୁଇ ବର୍ଷ ଧରି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ । ସେ ତାଙ୍କ ପାଖକୁ ବଳପୂର୍ବକ ଆସୁଥିଲେ ଏବଂ ମୁହଁ ଖୋଲିଲେ ସମଗ୍ର ପରିବାରକୁ ହତ୍ୟା କରିବାକୁ ଧମକ ଦେଉଥିଲେ । ଦ୍ରୌପଦୀ କହିଛନ୍ତି ଯେ ସେ ସବୁବେଳେ ଭୟରେ ରହୁଥିଲେ । ମାନସିକ ଚାପର ପରିଣାମ ସ୍ୱରୂପ ଆଜି ତାଙ୍କ ସମଗ୍ର ପରିବାର ଶେଷ ହୋଇଯାଇଛି ।

ପୋଲିସ ଦ୍ରୌପଦୀଙ୍କ ବୟାନକୁ ଗମ୍ଭୀରତାର ସହିତ ନେଇ ମାମଲାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟରେ ମନୋହର କାହିଁକି ଏହି ଚରମ ପଦକ୍ଷେପ ନେଇଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ନୋଟରେ ତାଙ୍କ ପତ୍ନୀଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିବା ଏବଂ ଦ୍ରୌପଦୀଙ୍କ ଚାପପୂର୍ଣ୍ଣ ଅଭିଯୋଗ ଏହି ମାମଲାକୁ ଗଭୀର ଏବଂ ସନ୍ଦେହଜନକ କରୁଛି ।