ମହାରାଷ୍ଟ୍ରରେ ମାଙ୍କଡ ନାଚ ଚାଲିଛି ବୋଲି କହିଥିବା ଓୱେସୀଙ୍କ ହାତ ଛାଡ଼ିଲେ ୪ବିଧାୟକ

ମୁମ୍ବାଇ: କିଛି ଦିନ ତଳେ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ମାଙ୍କଡ ନାଚ ବୋଲି କହିଥିଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ବିଦ୍ରୋହୀ ବିଧାୟକ ଓ ଠାକରେ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା କନ୍ଦଳର ସମାଲୋଚନା କରିଥିବା ଓୱେସୀ ଏବେ ନିଜେ ସମାନ ପରିସ୍ଥିତିର ସାମ୍ନା କରିଛନ୍ତି। ୫ଜଣଙ୍କ ମଧ୍ୟରୁ ୪ଜଣ ବିଧାୟକ ଓୱେସୀଙ୍କ ହାତ ଛାଡ଼ି ଆରଜେଡି ସହ ହାତ ମିଳାଇଥିବା ଜଣାପଡ଼ିଛି।

ବିହାରରେ,ଏଆଇଏମଆଇଏମର ପାଞ୍ଚଜଣ ବିଧାୟକ ନିର୍ବାଚନରେ ​​ଜିତିଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ୪ଜଣ ଏଆଇଏମଆଇଏମ ବିଧାୟକ ଆରଜେଡିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଆଇଏମଆଇଏମରୁ ଟିକେଟ ପାଇ ଆମୋର ଆସନରୁ ଅଖତରୁଲ ଇମାନ, ବାୟାସୀରୁ ସୟଦ ରୁକନୁଦ୍ଦିନ ଅହମ୍ମଦ, ଜୋକିହାଟରୁ ଶାହନୱାଜ ଆଲାମ, କୋଚାଧାମନରୁ ମହମ୍ମଦ ଇଜହର ଅସଫି, ବାହାଦୁରଗଞ୍ଜରୁ ମହମ୍ମଦ ଅଞ୍ଜର ନାଏମି ବିଧାନସଭାରେ ପହଞ୍ଚିଥିଲେ। ଅଖତରୁଲ ଇମାନ ବର୍ତ୍ତମାନ ଏଆଇଏମଆଇଏମ ସହିତ ଥିବା ବେଳେ ଅନ୍ୟ ୪ଜଣ ଆରଜେଡିରେ ସାମିଲ ହୋଇଛନ୍ତି। ଚାରିଜଣ ବିଧାୟକ ଏଆଇଏମଆଇଏମ ଛାଡିବା ପରେ ଆରଜେଡି ବିହାରର ସବୁଠାରୁ ବଡ ଦଳ ହୋଇପାରିଛି।

ଉଲ୍ଲେଖଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ​​ଆରଜେଡି ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। ଆରଜେଡିରେ ୭୫ଜଣ ବିଧାୟକ ଏବଂ ବିଜେପିର ୭୪ଜଣ ବିଧାୟକ ନିର୍ବାଚନ ଜିତିଥିଲେ। ଏହି ନିର୍ବାଚନରେ ​​ଚାରିଜଣ ପ୍ରାର୍ଥୀ ଭିଆଇପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ, ଯେଉଁଥିରେ ଜଣେ ମୃତ୍ୟୁବରଣ କରିଥିଲେ। ଏଭଳି ପରିସ୍ଥିତିରେ ତିନିଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ଏହି କାରଣରୁ ବିଜେପିର ବିଧାୟକଙ୍କ ସଂଖ୍ୟା ୭୭ରେ ପହଞ୍ଚିଥିଲା। ବର୍ତ୍ତମାନ ଓୱେସୀଙ୍କ ଦଳର ଚାରିଜଣ ବିଧାୟକ ଆରଜେଡିରେ ଯୋଗ ଦେବା ପରେ ଆରଜେଡିର ବିଧାୟକ ଅଧିକ ହେବା ସହ ଆରଜେଡି ରାଜ୍ୟର ସବୁଠୁ ବଡ ଦଳ ହୋଇପାରିଛି।

ସମ୍ବନ୍ଧିତ ଖବର