ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାରିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ଏବଂ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ। ବାକି ଦୁଇ ଜଣ ହେଲେ କୃଷକ ନେତା ରାମ ସକଲ ଏବଂ ଲେଖକ ଓ ସ୍ତମ୍ଭକାର ରାକେଶ ସିହ୍ନା।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱବିଦିତ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ୧୯୫୯ ମସିହାରୁ ପଥର ଖୋଦେଇ କଳାରେ ଉତ୍କର୍ଷ ପ୍ରତିପାଦନ କରିଆସୁଛନ୍ତି। ଜଣେ ଯଶସ୍ବୀ ଗୁରୁ ଭାବେ ସେ ୨୦୦୦ ଛାତ୍ରଙ୍କୁ ତାଲିମ ଦେଇଛନ୍ତି। ପାରମ୍ପରିକ ସ୍ଥାପତ୍ୟ ଏବଂ ପ୍ରାଚୀନ ସ୍ମାରକୀ ସଂରକ୍ଷଣ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣରେ ମଧ୍ୟ ତାଙ୍କର ଭୂମିକା ରହିଛି। ତାଙ୍କର ପ୍ରସିଦ୍ଧ କାର୍ଯ୍ୟ ମଧ୍ୟରେ ରହିଛି ପାର୍ଲାମେଣ୍ଟ୍ର ସେଣ୍ଟ୍ରାଲ୍ ହଲ୍ରେ ସ୍ଥାପିତ ଧୂସର ବଉଳାପଥରରେ ଖୋଦିତ ୬ ଫୁଟ୍ ଉଚ୍ଚର ସୂର୍ଯ୍ୟଙ୍କ ପ୍ରତିମା ଏବଂ ପ୍ୟାରିସ୍ର ବୁଦ୍ଧ ମନ୍ଦିରରେ ସ୍ଥାପିତ କାଠ ବୁଦ୍ଧ।
ସେହିପରି ଡ.ସୋନାଲ ମାନସିଂହ ଜଣେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ନୃତ୍ୟଶିଳ୍ପୀ ଓ ଗୁରୁ। ସେ ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ହାସଲ କରିଥିବା ଜଣେ ଶାସ୍ତ୍ରୀୟ ନୃତ୍ୟାଙ୍ଗନା। ଏହାଛଡ଼ା ସେ ଜଣେ ସୁପରିଚିତା କୋରିଅଗ୍ରାଫର୍, ଶିକ୍ଷୟିତ୍ରୀ, ବକ୍ତା ଓ ସାମାଜିକ କର୍ମୀ। ମଣିପୁରୀ ଓ କୁଚିପୁଡ଼ି ନୃତ୍ୟରେ ମଧ୍ୟ ସେ ପାରଙ୍ଗମ।
ରାମ ସକଲ ଜଣେ ବିଖ୍ୟାତ ଜନ ନେତା ଓ ଉତ୍ତର ପ୍ରଦେଶର ସର୍ବସାଧାରଣ ପ୍ରତିନିଧି। ଦଳିତ ସମ୍ପ୍ରଦାୟଙ୍କ କଲ୍ୟାଣରେ ସେ ନିଜ ଜୀବନକୁ ନିୟୋଜିତ କରିଛନ୍ତି। ଜଣେ କୃଷକ ନେତା ଭାବେ ସେ କୃଷକ, ଶ୍ରମିକ ଏବଂ ଦାଦନଙ୍କ ସମ୍ମାନଷ୍ପଦ ହୋଇ ପାରିଛନ୍ତି। ଉତ୍ତର ପ୍ରଦେଶର ରବର୍ଟସ୍ଗଞ୍ଜରୁ ସେ ତିନି ଥର ସାଂସଦ ହୋଇଛନ୍ତି।
ରାକେଶ ସିହ୍ନା ଜଣେ ନାମକରା ଲେଖକ ଓ ଗବେଷକ । ଦିଲ୍ଲୀର ଥିଙ୍କ୍-ଟ୍ୟାଙ୍କ୍ ‘ଇଣ୍ଡିଆନ୍ ପଲିସି ଫାଉଣ୍ଡେସନ୍’ର ସେ ପ୍ରତିଷ୍ଠାତା ତଥା ଅବୈତନିକ ନିର୍ଦେଶକ ଅଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମୋତିଲାଲ୍ ନେହେରୁ କଲେଜର ପ୍ରଫେସର ସିହ୍ନା ସମ୍ପ୍ରତି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ୍ ରିସର୍ଚର ସଦସ୍ୟ ଅଛନ୍ତି। ଅନେକ ଖବରକାଗଜରେ ସେ ନିୟମିତ ସ୍ତମ୍ଭ ଲେଖୁଛନ୍ତି।
ଓଡ଼ିଶାର ଦୁଇଜଣ ବରପୁତ୍ରଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଷ୍ଟ୍ରପତି କୋବିନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।