୨୦୧୮ ମସିହା ପାଇଁ ମନୋନୀତ : ଜାତୀୟ ପୁରସ୍କାର ପାଇବେ ୪ ସାହସୀ

ନୂଆଦିଲ୍ଲୀ : ଜାତୀୟ ଶିଶୁ କଲ୍ୟାଣ ପରିଷଦ ଦ୍ବାରା ଆଜି ଘୋଷଣା ହୋଇଥିବା‌ ଜାତୀୟ ସାହସିକତା ପୁରସ୍କାର-୨୦୧୮ ପାଇଁ ଓଡ଼ିଶାର ୨ ଜଣ ବାଳକ ଓ ଦୁଇଜଣ ବାଳିକାଙ୍କୁ ମନୋନୀତ କରାଯାଇଛି। ପୁରସ୍କାର ପାଇଁ ମନୋନୀତ ହୋଇଥିବା ୪ ଓଡ଼ିଆ ବାଳକ ଓ ବାଳିକାମାନେ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦ ଇଚ୍ଛାପୁରର ୧୨ ବର୍ଷୀୟ ବାଳକ ବିଶ୍ବଜିତ ପୁହାଣ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲ ଅନ୍ତର୍ଗତ କନ୍ଦିରା ଗାଁର ୧୫ ବର୍ଷୀୟ ବାଳକ ସିତୁ ମଲ୍ଲିକ , କଳାହାଣ୍ଡି ଜିଲ୍ଲା ନାକରୁଣଡ଼ି ଅଞ୍ଚଳର ୧୨ ବର୍ଷୀୟା ରଂଜିତା ମାଝୀ ଓ ସୁବର୍ଣ୍ଣପୂର ଜିଲ୍ଲା ତରଭା ଅଞ୍ଚଳର ୮ ବର୍ଷୀୟା ଝିଲି ବାଗ୍‌। ଓଡ଼ିଶାର ୪ ଜଣ ବାଳକ ବାଳିକାଙ୍କ ସମେତ ସମୁଦାୟ ୨୧ ଜଣ ବାଳକ ବାଳିକାମାନଙ୍କୁ ଜାତୀୟ ସାହସିକତା ପୁରସ୍କାର ୨୦୧୮ରେ ପୁରସ୍କୃତ କରାଯିବ। ଚଳିତମାସ ୨୨ରେ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଓ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ଜଣ ବାଳିକା ଓ ୧୩ ଜଣ ବାଳକଙ୍କୁ ଜାତୀୟ ସାହସିକକା ପୁରସ୍କାର ୨୦୧୮ରେ ପୁରସ୍କୃତ କରିବେ। ସାହସିକତା ପୁରସ୍କାର ବିଜେତାମାନେ ଚଳିତବର୍ଷ ରାଜପଥର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବାର ସମ୍ଭାବନା ରହିଛି।

ବିଶ୍ବଜିତ୍‌ ପୁହାଣ
କେନାଲ୍‌ରେ ବୁଡ଼ି ଯାଉଥିବା ୫ବର୍ଷର ବାଳିକା ମାମୁନି ବିଶ୍ବାଳଙ୍କୁ ଉଦ୍ଧାର କରିଥିବା ବାଲିକୁଦା ବ୍ଲକ୍ ଇଚ୍ଛାପୁର ଗାଁର ୧୨ବର୍ଷର ବାଳକ ବିଶ୍ୱଜିତ ପୁହାଣଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ମାମୁନିଙ୍କ ଘର ପୁରୀ ଜିଲ୍ଲା ତରଦା ପଞ୍ଚାୟତ ଢଇକରଡ଼ା ଗାଁରେ। ସେ ଇଚ୍ଛାପୁରସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ମାଛଗାଁ କେନାଲ ନିକଟରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ସେ ପାଣିରେ ଖସି ପଡ଼ିଥିଲେ। ଏହି ସମୟରେ ନିକଟରେ ଥିବା ବିଶ୍ୱଜିତ ପାଣିକୁ ଡେଇଁପଡ଼ି ମାମୁନିଙ୍କୁ ଉଦ୍ଧାର କରିଥିଲେ। କୂଳକୁ ଆଣିବା ପରେ ମାମୁନି ଅଚେତ ଥିବାରୁ ବିଶ୍ୱଜିତ ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କ ପେଟରୁ ପାଣି ବାହାର କରିଥିଲେ। ଏହାପରେ ମାମୁନିଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରାଯାଇଥିଲା ଓ ସେଠାରେ ପ୍ରାଥମିକ ଚିକିତ୍ସା ପରେ ମାମୁନି ସୁସ୍ଥ ହୋଇଥିଲେ। ଅସାଧାରଣ ସାହସିକତା ଦେଖାଇ ମାମୁନିଙ୍କୁ ଉଦ୍ଧାର କରିଥିବାରୁ ବିଶ୍ୱଜିତଙ୍କୁ ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଝିଲ୍ଲି ବାଗ୍‌
ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରୁ ୭ କିମି ଦୂର ବଡ଼ଭଇଁରୋ ପଞ୍ଚାୟତ କେନ୍ଦୁମୁଣ୍ତା ନିବାସୀ ଲକ୍ଷ୍ମୀଚରଣ ବାଘଙ୍କ ୯ ବର୍ଷର ଝିଅ ଝିଲ୍ଲି ବାଗ୍‌। ସେଦିନ ଝିଲ୍ଲି ନିଜ ସାନ ଭଉଣୀ ମିଲି (୩ ବର୍ଷ) ଓ ସାଙ୍ଗ ରୀତାଞ୍ଜଳି ବଗର୍ତ୍ତୀ (୯)ଙ୍କ ସହ ଖେଳୁଥିଲେ। ଏହି ସମୟରେ ଏକ ଖୋଲା କୂଅରେ ମିଲି ପଡ଼ିଯାଇ ଥିଲେ। ମିଲି କୂଅରେ ପଡ଼ିଯିବା ଦେଖି ବଡ଼ ଭଉଣୀ ଝିଲି ସଙ୍ଗେ ସଙ୍ଗେ ତାର ସାଙ୍ଗ ରୀତାଞ୍ଜଳିକୁ ଶୀଘ୍ର ଘର ଲୋକଙ୍କୁ ଖବର ଦେଇ ଡାକି ଆଣିବାକୁ କହି କୂଅକୁ ଡେଇଁ ପଡ଼ିଥିଲେ। କୂଅରେ ଝିଲିର ବେକ ପର୍ଯ୍ୟନ୍ତ ପାଣି ଥିବା ସତ୍ତ୍ବେ ନିଜ ଛୋଟ ଭଉଣୀକୁ ଟେକି ଧରିଥିଲେ। ଖବର ପାଇ ପରିବାର ଲୋକଙ୍କ ସହ ଗ୍ରାମବାସୀ ସେଠାରେ ପହଞ୍ଚି ଦଉଡ଼ି ସାହାଯ୍ୟରେ ୨ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ସାହସୀ ଝିଅ ଝିଲିଙ୍କୁ ସମସ୍ତେ ପ୍ରଶ˚ସା କରୁଛନ୍ତି।

ସିତୁ ମଲ୍ଲିକ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ କଣ୍ତିରା ଗାଁର ସିତୁ ମଲ୍ଲିକ। ଗତ ଫେବ୍ରୁଆରି ୨୦ ତାରିଖ ରାତିରେ ଶୌଚ କରିବାକୁ ଯାଇଥିବା ତାଙ୍କ ଦାଦା ବିନୋଦ ମଲ୍ଲିକଙ୍କୁ କୁମ୍ଭୀର ଝାମ୍ପ ମାରିଥିଲା। ବିନୋଦଙ୍କ ଚିତ୍କାର ଶୁଣି ସିତୁ ଦୌଡ଼ି ଆସି କୁମ୍ଭୀର ଆଖିକୁ ଟର୍ଚ୍ଚ ଲାଇଟ ପକାଇବା ସହ ଏକ ଠେଙ୍ଗାରେ ଶକ୍ତ ପ୍ରହାର ଦେଇଥିଲେ। କୁମ୍ଭୀର ବିନୋଦକୁ ଛାଡି ଚାଲିଯିବା ପରେ ଆଣ୍ଠୁଏ ପାଣିରେ ପଶି ସିତୁୁ ଦାଦାଙ୍କୁ ଉଦ୍ଧାର କରିଥିଲେ। ଏହି ସାହସିକତା ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ରଞ୍ଜିତା ମାଝୀ
କଳାହାଣ୍ଡି ଜିଲ୍ଲା ଥୂଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଟୁରିଭେଜିଗୁଡା ଗ୍ରାମର ରଞ୍ଜିତା ମାଝୀ(୧୨)। ରଞ୍ଜିତା କାଠଘରା ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ବାପା ଓ ମା’ ତାକୁ ଜଣେ ମଦ୍ୟପ ଯୁବକ ସହ ବିବାହ ଦେବା ନିମନ୍ତେ ଯୋଜନା କରୁଥିଲେ। ଏହାକୁ ରଞ୍ଜିତା ଦୃଢ଼ ଭାବେ ବିରୋଧ କରିଥିଲେ। ଏ ନେଇ ସେ ପ୍ରଧାନଶିକ୍ଷୟତ୍ରୀଙ୍କୁ ଜଣାଇବାପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ସ୍କୁଲକୁ ଯାଇ ଉଦ୍ଧାର କରି ବାଲ୍ୟ ବିବାହରୁ ନିବୃତ୍ତ କରିବାକୁ ପରାମର୍ଶ ଦେଇଥିଲେ। ବାଲ୍ୟ ବିବାହ ପ୍ରତି ସାହସର ସହିତ ସ୍ୱରଉତ୍ତୋଳନ କରିବା ପାଇଁ ତାଙ୍କୁ ସାହସିକତା ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର