ଇଣ୍ଡିଆନ ଏକ୍ସପ୍ରେସ -୧୦୦ : ମୋଦୀ ଦେଶର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି, ତାଲିକାରେ ୪ ଓଡ଼ିଆ

ନୂଆଦିଲ୍ଲୀ : ଜଣାଶୁଣା ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ଦେଶର ୧୦୦ ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିମାନଙ୍କର ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି । କରୋନା ମହାମାରୀ, କୃଷକ ଆନ୍ଦୋଳନ ସତ୍ତ୍ବେ ତାଙ୍କର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ନିକଟରେ ୪ଟି ରାଜ୍ୟର ନିର୍ବାଚନରେ ବିଜେପିର ବିଜୟ ପରେ ଭାରତୀୟ ରାଜନୀତିରେ ତାଙ୍କର ପ୍ରଭାବ ଆହୁରି ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ୍ ଏମ୍ସପ୍ରେସ ପକ୍ଷରୁ ଦର୍ଶାଯାଇଛି।

ତାଲିକାର ୨ୟ ସ୍ଥାନରେ ରହିଛନ୍ତି  ଗୃହମନ୍ତ୍ରୀ ଅମିତ ଶାହା । ଆନୁଷ୍ଠାନିକ ଭାବେ ବିଜେପିର ସଭାପତି ପଦ ଛାଡିବା ପରେ ବି ଦେଶର ବୃହତ୍ତମ ରାଜନୈତିକ ଦଳରେ ତାଙ୍କର ନିୟନ୍ତ୍ରଣ ପୂର୍ବବତ ରହିଛି । ୩ୟ ସ୍ଥାନରେ ରହିଛନ୍ତି ସର ସଂଘଚାଳକ ମୋହନ ଭାଗବତ ଓ ୪ର୍ଥରେ ରହିଛନ୍ତି ବିଜେପି ସଭାପତି ଜେପି ନଡ୍ଡା । ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି ଉତ୍ତରପ୍ରଦେଶରେ ପୁଣି କ୍ଷମତାସୀନ ହୋଇଥିବା ଯୋଗୀ ଆଦିତ୍ୟନାଥ ।

ଇଣ୍ଡିଆନ ଏକ୍ସପ୍ରେସ ପ୍ରକ୍ଷରୁ ପ୍ରକାଶିତ ଏହି ୧୦୦ ଜଣିଆ ତାଲିକାରେ ମୋଟ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ସୂଚୀର ୧୮ ତମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ ୩୩ତମ ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ବର୍ଷ ଏହି ତାଲିକାରେ ୪୫ତମ ସ୍ଥାନରେ ଥିବା ନବୀନ ଏଥର ୩୩ ତମ ସ୍ଥାନରେ ପହଞ୍ଚିଛନ୍ତି । ୨୧ତମ ସ୍ଥାନରେ ଅଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେହିପରି ୬୫ତମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ବ୍ୟକ୍ତିଗତ ସଚିବ ପିକେ ମିଶ୍ର । ସେ ମୋଦୀଙ୍କ ଅତ୍ୟନ୍ତ ବିଶ୍ବସ୍ତ ଏବଂ ଜଣେ କ୍ଷମତାଶାଳୀ ପ୍ରଶାସନିକ ଅଧିକାରୀ ଭାବେ ଦିଲ୍ଲୀ ମହଲରେ ବେଶ୍ ପରିଚିତ।

ସମ୍ବନ୍ଧିତ ଖବର