ଆଣ୍ଡାମାନର ବିରଳ ଆଦିମ ଅଧିବାସୀଙ୍କୁ ଆକ୍ରାନ୍ତ କଲାଣି କରୋନା

ପୋର୍ଟବ୍ଲେୟର : କରୋନା ମହାମାରୀ ସମଗ୍ର ଭାରତବର୍ଷକୁ କବଳିତ କରିଥିବା ବେଳେ ଏବେ ତାହା ଦେଶର ଆଦିମ ଜନଜାତିମାନଙ୍କୁ ସଂକ୍ରମିତ କରିବା ଆରମ୍ଭ କଲାଣି । ଏପରିକି କରୋନା ପ୍ରକୋପରେ ଦେଶର କେତେକ ଅତି ବିରଳ ଆଦିବାସୀ ସଂପ୍ରଦାୟ ସଂପୂର୍ଣ୍ଣ ଲୋପ ପାଇଯିବାର ଆଶଙ୍କା ଦେଖାଗଲାଣି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତର କେତେକ ଅତି ଦୁର୍ଲ୍ଲଭ ଆଦିମ ଅଧିବାସୀ ବାସକରନ୍ତି । ଏପରି ଏକ ବହୁଚର୍ଚ୍ଚିତ ସଂପ୍ରଦାୟ ହେଉଛି ଗ୍ରେଟ୍‌ ଆଣ୍ଡାମାନିଜ ଟ୍ରାଇବ ( ମହାନ ଆଣ୍ଡାମାନ ଜନଜାତି) । ଏହି ସଂପ୍ରଦାୟରେ ଏବେ ମାତ୍ର ୫୩ ଜଣ ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି ।

ଗତ ସପ୍ତାହରେ ଆଣ୍ଡାମାନ ନିକୋବର ପ୍ରଶାସନ ପକ୍ଷରୁ ଏହି ୫୩ ଜଣ ଆଦିବାସୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ନମୁନା ପଜିଟିଭ ବାହାରିଥିଲା ବୋଲି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡ.ଅଭିଜିତ ରାୟ କହିଛନ୍ତି । ଏହି ୪ ଜଣ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ଓ ଅନ୍ୟମାନଙ୍କୁ ମଧ୍ୟ କ୍ୱାରାଣ୍ଟାଇନରେ ରଖାଯାଇଛି ।

ସେ କହିଛନ୍ତି ଯେ ପ୍ରଶାସନ ପକ୍ଷରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ରହୁଥିବା ବିଭିନ୍ନ ଆଦିମ ଅଧିବାସୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ସେମାନଙ୍କ ମଧ୍ୟରେ କରୋନା ଯେପରି ଅଧିକ ନ ବ୍ୟାପେ ସେ ଦିଗରେ ପଦକ୍ଷେପ ନିଆଯାଉଛି ।

ସମ୍ବନ୍ଧିତ ଖବର