୪ ପାକ୍‌ ଆତଙ୍କବାଦୀ ନିପାତ

ରାଜୌରିରେ ଏନ୍‌କାଉଣ୍ଟର

ଶ୍ରୀନଗର : ଜମ୍ମୁ କଶ୍ମୀରର ରାଜୌରି ଜିଲ୍ଲାରେ ୫ ଦିନ ତଳେ ଅନୁପ୍ରବେଶ କରିଥିବା ୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଆଜି ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଛନ୍ତି। ରାଜୌରି ଜିଲ୍ଲାର ସୁନ୍ଦରବନି ଅଞ୍ଚଳରେ କମ୍ବିଂ ବେଳେ ଏହି ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା ଏବଂ ତତ୍‌୍‌କ୍ଷଣାତ ସୁରକ୍ଷାବାହିନୀ ସମଗ୍ର ଅଂଚଳକୁ ଘେରିଯାଇଥିଲେ। ପ୍ରାୟ ୩ ଘଣ୍ଟାର ଗୁଳି ବିନିମୟ ପରେ ସମସ୍ତ ୪ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସେନା ଓ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ୫ ଦିନ ପୂର୍ବେ ଏହି ପାକ୍‌ ଆତଙ୍କବାଦୀ ରାଜୌରି ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ କରିଥିବା ଖବର ସୁରକ୍ଷାବାହିନୀକୁ ମିଳିବାପରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଅଧିକ ଆତଙ୍କବାଦୀ ପଶିଥିବା ସନ୍ଦେହ ବଳବତ୍ତର ହୋଇଥିବାରୁ ଆଗୁଆ ସୁରକ୍ଷା ପଦକ୍ଷେପ ନିଆଯାଇ ରାଜୌରି ତହସିଲ୍‌ ଅଂଚଳରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ଆଜି ସକାଳେ ସୁରକ୍ଷାବାହିନୀ ନୌସେରା-ସୁନ୍ଦରବନି ସେକ୍ଟରରେ କମ୍ବିଂ ଚଳାଇଥିବା ବେଳେ ଅଚାନକ ପାକ୍‌ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଘମାଘୋଟ ଗୁଳି ବିନିମୟ ପରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ପୁଲିସ ଡିଜି ଏସ୍‌ପି ବୈଦ କହିଛନ୍ତି। ସୁନ୍ଦରବନିର ସିଆରପିଏଫ୍‌ କ୍ୟାମ୍ପ୍‌ ନିକଟରୁ ୩ଟି ବ୍ୟାଗ୍‌ ଭର୍ତ୍ତି ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଉଦ୍ଧାର ହୋଇଛି। ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସନ୍ଦେହ କରି ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ସ୍ପର୍ଶକାତର ଅଂଚଳରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ସୀମାରେ ଅନୁପ୍ରବେଶ ରୋକିବାକୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଗତରାତିରେ ଆଉ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଛି।

ସମ୍ବନ୍ଧିତ ଖବର