ଔଷଧ, ଡାକ୍ତରୀ ଯନ୍ତ୍ରପାତିର ବହୁଳ ଉତ୍ପାଦନ ପାଇଁ୪ ଯୋଜନା ଆରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ଆଜି ନୂଆଦିଲ୍ଲୀଠାରେ ବଲ୍‌କ (ବିପୁଳ) ଔଷଧପତ୍ର ଏବଂ ମେଡିକାଲ ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ୪ଟି ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଦେଶରେ ଜୀବନରକ୍ଷାକାରୀ, ଉଚ୍ଚମାନର ଔଷଧପତ୍ର ଓ ଅତ୍ୟାଧୁନିକ ଡାକ୍ତରୀ ସାମଗ୍ରୀ ଉତ୍ପାଦନ ପାଇଁ ୩ଟି ପାର୍କ ନିର୍ମାଣ କରାଯିବ । ଏହାଛଡା ଭେଷଜ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ଏ କ୍ଷେତ୍ରରେ ପୁଞ୍ଜିନିବେଶକୁ ବଢାଇବା ପାଇଁ ମଧ୍ୟ କେତେକ ଯୋଜନା ବିଷୟରେ ଘୋଷଣା କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଜାହାଜ ଚଳାଚଳ ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ଭେଷଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ଗୌଡା କହିଛନ୍ତି ଯେ ପ୍ରଧାମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ସହିତ ଔଷଧପତ୍ର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ମୋଟ ୪ଟି ଯୋଜନା ଅନୁମୋଦନ ଲାଭ କରିଛି । ସେଥିମଧ୍ୟରୁ ଦୁଇଟି ବିପୁଳ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନ ପାଇଁ ଉଦ୍ଦିଷ୍ଟ । ଏ କ୍ଷେତ୍ରରେ ୩ଟି ପାର୍କ ଦେଶରେ ପ୍ରତିଷ୍ଠା କରାଯିବ । ଏହି ଯୋଜନାରେ ସାମିଲ ହେବା ପାଇଁ ସେ ରାଜ୍ୟ ସରକାର ଏବଂ ଶିଳ୍ପ ସଂସ୍ଥାଗୁଡିକୁ ଆହ୍ୱାନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର