ଜୁଲାଇରେ ଭାରତକୁ ଆସିବ ୪ଟି ରାଫେଲ ବିମାନ, ପ୍ରଥମେ କିଏ ଉଡ଼ାଇବେ ଜାଣନ୍ତୁ

ନୂଆଦିଲ୍ଲୀ : ଚଳିତ ମାସରେ ଆସିବାକୁ ଥିବା ରାଫେଲ ବିମାନ ଆସନ୍ତା ଜୁଲାଇ ମାସରେ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି । କରୋନା ମହାମାରୀ ଯୋଗୁଁ ଫ୍ରାନ୍ସରେ ଲକଡାଉନ ଘୋଷଣା ହୋଇଥିବାରୁ ଏହି ବିଳମ୍ବ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଜୁଲାଇରେ ଭାରତକୁ ୩ଟି ଟ୍ରେନର ଏୟାରକ୍ରାଫ୍ଟ ଓ ଗୋଟିଏ ଲଢୁଆ ବିମାନ ଆସିବ । ଟ୍ରେନର ରାଫେଲଗୁଡ଼ିକ ଆରବି ସିରିଜର ଆସିବ । ଏହି ବିମାନଗୁଡ଼ିକ ଆସିବାବେଳେ ବାଟରେ ଫ୍ରାନ୍ସର ବାୟୁସେନା ଓ ପରେ ଭାରତୀୟ ବାୟୁସେନାର ଟାଙ୍କର ସେଗୁଡ଼ିକରେ ଇନ୍ଧନ ଭରିବ । ଭାରତରେ ପ୍ରଥମ ରାଫେଲ ବିମାନକୁ ଭାରତୀୟ ବାୟୁସେନାର ୧୭ ଗୋଲଡେନ ଆରୋ ସ୍କ୍ବାର୍ଡନର କମାଣ୍ଡିଂ ଅଫିସର ଓ ଫ୍ରାନ୍ସର ଜଣେ ପାଇଲଟ ଉଡ଼ାଇବେ ।

କରୋନା ଭାଇରସ ଯୋଗୁଁ ଫ୍ରାନ୍ସରେ ଆସନ୍ତା ମେ ୧୧ ପର୍ଯନ୍ତ ଲକଡାଉନ ଘୋଷଣା ହୋଇଥିଲା। ଏବେ ଧୀରେ ଧୀରେ ଶିଳ୍ପାନୁଷ୍ଠାନ ଗୁଡ଼ିକ ଖୋଲୁଥିବାରୁ ରାଫେଲ ବିମାନଗୁଡ଼ିକର ଅଟକି ରହିଥିବା ନିର୍ମାଣକାମ ଆରମ୍ଭ ହୋଇଛି ।  ଭାରତରେ ପ୍ରଥମ ୪ଟି ରାଫେଲ ବିମାନ ପହଞ୍ଚିବାପରେ ପ୍ରତି ୪୫ ଦିନରେ ଗୋଟିଏ ଲେଖାଏଁ ରାଫେଲ ବିମାନ ପହଞ୍ଚିବ ଓ ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ । ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଯୁଦ୍ଧ ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର