ଶପଥ ନେଲେ ଓଡ଼ିଶାର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ : ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ବିଜୁ ଜନତା ଦଳର ୪ ଜଣ ସଭ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ମୁଜିବୁଲ୍ଲା ଖାନ୍‌, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ଚନ୍ଦ୍ର ସିଂହ। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କିଆ ନାଇଡୁଙ୍କ ପ୍ରକୋଷ୍ଠରେ ସେମାନେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ। ଏହି ୪ ଜଣ ସଦସ୍ୟ ଓଡ଼ିଆରେ ଶପଥ ପାଠ କରିଥିଲେ। ଗତ ମାର୍ଚ୍ଚ ୧୮ରେ ରାଜ୍ୟସଭାକୁ ଏହି ୪ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ‌େତବେ କରୋନା କଟକଣା ଯୋଗୁ ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ଧାରିତ କରାଯାଇଥିବା ଶପଥ ପାଠ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଆଜି ଓଡ଼ିଶାର ଏହି ୪ ଜଣ ସଦସ୍ୟଙ୍କ ସମେତ ମୋଟ ୪୫ ଜଣ ସଦସ୍ୟ ଶପଥ ନେଇଥିଲେ।

କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି କେବଳ ସାଂସଦ ସୁବାସ ସିଂହଙ୍କୁ ବାଦ ଦେଇ ଅନ୍ୟ ୩ ଜଣ ସାଂସଦ ସେମାନଙ୍କ ପରିବାରର ଜଣେ ସଦସ୍ୟ କିମ୍ବା ଅତିଥିଙ୍କୁ ଶପଥ ଗ୍ରହଣ ସମାରୋହକୁ ଆଣିନଥିଲେ। ସାଂସଦ ସୁବାସ ସିଂହଙ୍କ ପତ୍ନୀ ଡକ୍ଟର ନିବେଦିତା ଦାସ ଶପଥ ଗ୍ରହଣ ବେଳେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ପରେ ସାଂସଦମାନେ ରାଜ୍ୟସଭାରେ ସେମାନଙ୍କ ଅଞ୍ଚଳର ତଥା ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିବେ ବୋଲି ଗଣମାଧ୍ୟମକୁ ସେମାନଙ୍କର ପ୍ରତିକ୍ରିୟାରେ କହିଥିଲେ। ଶପଥ ଗ୍ରହଣ କରିଥିବା ୪ ଜଣ ସାଂସଦ ଏବେ ଓଡ଼ିଶା ଭବନରେ ରହୁଛନ୍ତି। ସେମାନଙ୍କର ରହଣି ଓ ପରିବହନ ବ୍ୟବସ୍ଥା ରାଜ୍ୟସଭା ସଚିବାଳୟ ପକ୍ଷରୁ କରାଯାଇଛି। ଆଜି ରାଜ୍ୟସଭାରେ ୪ ଜଣ ସଦସ୍ୟଙ୍କ ଶପଥ ନେବା ସହିତ ରାଜ୍ୟସଭାରେ ବିଜେଡିର ସଦସ୍ୟ ସଂଖ୍ୟା ୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର