ଜମ୍ମୁ-କଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ସୁରକ୍ଷା ବାହିନୀର ୪ ଯବାନ ଆହତ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଜମ୍ମୁ- କଶ୍ମୀରର କୁପ୍‌ଓ୍ଵାରା ଜିଲ୍ଲା ଅନ୍ତର୍ଗତ ନାଓଗାମ୍‌ ସେକ୍ଟରରେ ଆଜି (ଗୁରୁବାର) ପ୍ରତ୍ୟୁଷରେ ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ସୁରକ୍ଷା ବାହିନୀର ୪ ଜଣ ଯବାନ ଆହତ ହୋଇଛନ୍ତି।

ସେନା ବାହିନୀ ମୁଖପାତ୍ରଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ପ୍ରତ୍ୟୁଷ ପ୍ରାୟ ୩ଟା ସମୟରେ କୁପ୍‌ଓ୍ଵାରାର ନାଓଗାମ୍‌ ସେକ୍ଟର ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି)କୁ ଲାଗିକରି ରହିଥିବା ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅଞ୍ଚଳରୁ କିଛି ଆତଙ୍କବାଦୀ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ଯବାନ ମାନଙ୍କ ଆଖିରେ ଧରା ପଡ଼ିଯାଇଥିଲେ। ତେବେ, ସୁରକ୍ଷା ବାହିନୀର ଯବାନମାନେ ଅନୁପ୍ରବେଶକାରୀ ଆତଙ୍କବାଦୀମାନଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ସେମାନେ ଅତର୍କିତ ଭାବେ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ସୁରକ୍ଷା ବାହିନୀର ୪ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନମାନଙ୍କୁ ଏବେ କୁପ୍‌ଓ୍ଵାରା ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର