ନୂଆଦିଲ୍ଲୀ: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ବିମାନ ଏସ୍ଜି-୩୮୬ର ବୋର୍ଡିଂ ଗେଟ୍ରେ ଜଣେ ବରିଷ୍ଠ ସେନା ଅଧିକାରୀ ସ୍ପାଇସ୍ ଜେଟ୍ର ୪ ଜଣ କର୍ମଚାରୀଙ୍କୁ ଅତି ନିର୍ମମ ପ୍ରହାର କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଏୟାରଲାଇନ୍ସର ଜଣେ ମୁଖପାତ୍ରଙ୍କ କହିବାନୁସାରେ, ଜୁଲାଇ ୨୬ ତାରିଖରେ ଏହି ଘଟଣା ଘଟିଥିଲା। ଯେତେବେଳେ ଅଧିକାରୀଙ୍କୁ ଅତିରିକ୍ତ କ୍ୟାବିନ୍ ବ୍ୟାଗେଜ୍ ନେବା ପାଇଁ ଅତିରିକ୍ତ ଦେୟ ଦେବାକୁ କୁହାଯାଇଥିଲା, ସେତେବେଳେ ଅଧିକାରୀ ଜଣକ ହଠାତ୍ ଉତ୍କ୍ଷୀପ୍ତ ହୋଇଉଠିବା ସହ କର୍ମଚାରୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ସ୍ପାଇସ୍ ଜେଟ୍ ପକ୍ଷରୁ କୁହାଯାଇଛି ଯେ ଅଧିକାରୀଙ୍କ ପାଖରେ ମୋଟ ୧୬ କେଜି ଓଜନର ଦୁଇଟି କ୍ୟାବିନ୍ ବ୍ୟାଗ୍ ଥିବା ବେଳେ ଏ ବାବଦ ସର୍ବାଧିକ ସୀମା ମାତ୍ର ୭ କେଜି ରହିଛି।
କର୍ମଚାରୀମାନେ ବିନମ୍ରତାର ସହ ତାଙ୍କୁ ଏହି ନିୟମ ବିଷୟରେ ଜଣାଇବା ସହ ଆବଶ୍ୟକ ଦେୟ ପୈଠ କରିବାକୁ କହିବାରୁ ଅଧିକାରୀ ଜଣକ ମନା କରି ଦେଇଥିଲେ ଏବଂ ବୋର୍ଡିଂ ପ୍ରକ୍ରିୟା ଶେଷ ନକରି ବଳପୂର୍ବକ ଏରୋବ୍ରିଜ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ବେସାମରିକ ବିମାନ ଚଳାଚଳ ନିରାପତ୍ତା ନିୟମର ଏହା ଗୁରୁତର ଉଲ୍ଲଂଘନ ହୋଇଥିବାରୁ ସିଆଇଏସ୍ଏଫ୍ ଅଧିକାରୀମାନେ ତାଙ୍କୁ ଗେଟ୍ ନିକଟକୁ ନେଇଯାଇଥିଲେ। ଗେଟ୍ ନିକଟରେ ଉକ୍ତ ଅଧିକାରୀ ଜଣକ ୪ ଜଣ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । କର୍ମଚାରୀଙ୍କୁ ସେ ବାରମ୍ବାର ପିଟିବା, ଲାତ ମାରିବା ସହ ଷ୍ଟିଲ୍ ଷ୍ଟାଣ୍ଡରେ ପ୍ରବଳ ଆଘାତ କରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ଅଚେତ ସହକର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ଜଣେ କର୍ମଚାରୀ ପ୍ରୟାସ କରୁଥିବା ବେଳେ ସେନା ଅଧିକାରୀ ତାଙ୍କୁ ଜୋର୍ରେ ଲାତ ମାରିବାରୁ ତାଙ୍କ ନାକ ଓ ପାଟିରୁ ରକ୍ତ ପ୍ରବାହିତ ହୋଇଥିଲା।
ଆହତ କର୍ମଚାରୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଗୁରୁତର ଆହତ କର୍ମଚାରୀ ଦ୍ବୟ ଏବେ ବି ଚିକିତ୍ସାଧୀନ ଅଛନ୍ତି। ସ୍ପାଇସ୍ ଜେଟ୍ ମୁଖପାତ୍ର କହିଛନ୍ତି ଯେ ଆକ୍ରମଣ ସଂକ୍ରାନ୍ତରେ ପୁଲିସରେ ଏକ ଏଫ୍ଆଇଆର ରୁଜୁ କରାଯାଇଛି ଏବଂ ଏୟାରଲାଇନ୍ସ ଉକ୍ତ ଯାତ୍ରୀଙ୍କୁ ‘ନୋ ଫ୍ଲାଏ ଲିଷ୍ଟ’ରେ ରଖିବା ପ୍ରକ୍ରିୟା ଆରମ୍ଭ କରିଛି। ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି। ଏ ବାବଦରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ବିସ୍ତୃତ ତଥ୍ୟ ଦିଆଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସିସିଟିଭି ଫୁଟେଜ୍ ପୁଲିସକୁ ହସ୍ତାନ୍ତର କରାଯିବା ସହ ତଦନ୍ତ ତ୍ବରାନ୍ବିତ ହୋଇଛି।