ଭିଓ୍ଵାଣ୍ଡିରେ ଚାରିତାଲା କୋଠା ଭୁଶୁଡ଼ି ଦୁଇ ଜଣ ମୃତ, ଅନେକ ପୋତି ହୋଇ ପଡ଼ିଥିବା ଆଶଙ୍କା

ଭିଓ୍ଵାଣ୍ଡି: ଶନିବାର ପ୍ରତ୍ୟୁଷରେ ମହାରାଷ୍ଟ୍ରର ମୁମ୍ବାଇ ନିକଟବର୍ତ୍ତୀ ଭିଓ୍ଵାଣ୍ଡି ସହରର ଶାନ୍ତିନଗର ଠାରେ ଗୋଟାଏ ଚାରିତାଲାବିଶିଷ୍ଟ କୋଠାଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ କେତେଜଣ ଆହତ ହୋଇଛନ୍ତି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଭଗ୍ନସ୍ତପ ତଳୁ ଚାରି ଜଣ ଲୋକଙ୍କୁ ଉଦ୍ଧାର କରି ଅଦୂରସ୍ଥ ଡାକ୍ତରଖାନାକୁ ନେଇଛନ୍ତି।
ଭଗ୍ନସ୍ତପ ତଳେ ଆହୁରି ଅନ୍ୟୂନ ୧୫ ଜଣ ବ୍ୟକ୍ତି ପୋତି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ ବିଭାଗର କେତେକ ଦଳ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସମ୍ପ୍ରତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଭଗ୍ନସ୍ତପ ତଳେ ରହିଯାଇଥିବା ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି।

Image Source: DNA India

ଘଟଣା ସଂକ୍ରାନ୍ତରେ ଅଧିକ ବିବରଣୀ ଦେଇ ଭିଓ୍ଵାଣ୍ଡି-ନିଜାମପୁର ମୁନିସିପାଲ୍‌ କର୍ପୋରେସନ୍‌ର କମିଶନର୍‌ ଅଶୋକ ରଣଖମ୍ବ କହିଛନ୍ତି: ଆମକୁ ଖବର ମିଳିଥିଲା ସମ୍ଭବତଃ ସେ କୋଠାଘରର ସ୍ତମ୍ଭ ଭାଙ୍ଗିଯାଇଛି। ଆମର ଜରୁରୀକାଳୀନ ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ କରିବା ପରେ ଜାଣିଲେ କୋଠାଘରଟି ବୋଧହୁଏ ଭୁଶୁଡ଼ି ପଡ଼ିଛି।

ଆମେ ତୁରନ୍ତ ସମଗ୍ର କୋଠାଘରଟିକୁ ଖାଲି କରିଦେଲୁ, କିନ୍ତୁ କିଛି ବ୍ୟକ୍ତି ବିନା ଅନୁମତିରେ ସେ କୋଠାଘର ମଧ୍ୟକୁ ପ୍ରବେଶ କରିଥିଲେ। ଏତିକି ବେଳେ ହିଁ ଘରଟି ଭୁଶୁଡ଼ି ପଡ଼ିଲା। ଚାରି ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଗଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ପରେ ମରିଗଲେ।

ଭିଓ୍ଵାଣ୍ଡି-ନିଜାମପୁର ମୁନିସିପାଲ୍‌ କର୍ପୋରେସନ୍‌ କମିସନର୍‌ ସୂଚନା ଦେଇଛନ୍ତି ଯେ ଏଇ ଆଠବର୍ଷ ତଳର କୋଠାଘରଟି ବେଆଇନ୍‌ଭାବେ ନିର୍ମାଣ କରାଯାଇଥିଲା।
ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର