ନୂଆଦିଲ୍ଲୀ: ଗୁଜରାଟରେ ବୈଶ୍ବିକ ଆତଙ୍କୀ ସଂଗଠନ ଅଲ୍ କାଏଦାର ଏକ ଶାଖା ସଙ୍ଗଠନର ପର୍ଦ୍ଦାଫାସ କରିଛି ଏଟିଏସ୍ (ଆତଙ୍କବାଦୀ ନିରୋଧ ସ୍କ୍ବାଡ୍)। ଅଲ୍ କାଏଦାର ଭାରତୀୟ ଉପମହାଦେଶ ନେଟ୍ୱର୍କର କାୟା ବିସ୍ତାର ପାଇଁ ଗୁଜରାଟରୁ ଚାଲିଥିବା ଏହି ଶାଖାର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ନକଲି କରେନ୍ସି ରୢାକେଟ୍ର ପରିଚାଳନା କରିବା ସହ ବୈଶ୍ବିକ ଆତଙ୍କବାଦୀ ଗୋଷ୍ଠୀର ବିଚାରଧାରା ପ୍ରସାର କାର୍ଯ୍ୟରେ ସାମିଲ ଥିଲେ। ଗିରଫ ୪ ଜଣ ହେଲେ ମହମ୍ମଦ ଫୈକ, ମହମ୍ମଦ ଫର୍ଦିନ, ସୈଫୁଲ୍ଲା କୁରେଶି ଓ ଜିଶାନ ଅଲି। ସେମାନେ ଅଲ୍ କାଏଦାର ବିଚାରଧାରା ପ୍ରସାର କରିବା ଏବଂ ନୂତନ ନିଯୁକ୍ତି ପାଇଁ ଯୋଗାଯୋଗ ନିମନ୍ତେ ବିଭିନ୍ନ ସନ୍ଦେହଜନକ ଆପ୍ ବ୍ୟବହାର କରୁଥିଲେ। ଆତଙ୍କୀମାନେ ସେମାନଙ୍କ ଯୋଗାଯୋଗ ନେଟ୍ୱର୍କର କୌଣସି ଚିହ୍ନବର୍ଣ୍ଣ ନ ରଖିବାପାଇଁ ‘ଅଟୋ ଡିଲିଟ୍ ଆପ୍’ ବ୍ୟବହାର କରୁଥିଲେ।
ଗିରଫ ଆତଙ୍କବାଦୀଙ୍କୁ ଗୁଜରାଟ ଏଟିଏସ୍ ଜେରା କରୁଛି। ଗୁଜରାଟ ଏଟିଏସ୍ ଅଫିସର କହିଛନ୍ତି, ସମସ୍ତ ଅଭିଯୁକ୍ତ ଗୁଜରାଟ ମୋଡ୍ୟୁଲ୍ର ମୁଖ୍ୟ ସଂଚାଳକ ଭାବେ କାମ କରୁଥିଲେ। ଏଟିଏସ୍ ରାଡାରକୁ ଆସିବାପରେ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଥିଲା ଏବଂ ଏକ ଗୁପ୍ତ ଅପରେସନ ମାଧ୍ୟମରେ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇଥିଲା। ଏବେ ସେମାନଙ୍କର ଚାଟ୍ ଓ ସୋସିଆଲ ମିଡିଆ ଆକାଉଣ୍ଟ ଅନୁଶୀଳନ କରାଯାଉଛି ଏବଂ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ସେମାନଙ୍କ ନେଟ୍ୱର୍କ ନେଇ ଆଲର୍ଟ ଜାରି ହୋଇଛି।