ନୂଆଦିଲ୍ଲୀ: କିଛି ଦିନ ତଳେ ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ 'ଆତଙ୍କ'କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଥିଲେ। ଦିଲ୍ଲୀ ଏବଂ ନୋଏଡା-ଗାଜିଆବାଦ ସମେତ ସମଗ୍ର ଏନସିଆରରେ କୁକୁରମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହାକୁ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ଏବେ ବୁଲା କୁକୁର କାମୁଡ଼ାରେ ଜଣେ କୁନି ଝିଅର ଜୀବନ ଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, କର୍ଣ୍ଣାଟକର ଦାଭାଙ୍ଗେରେରେ ଘଟିଛି ଏହି ଘଟଣା। ପ୍ରାୟ ୪ମାସ ପୂର୍ବେ କୁନି ଝିଅକୁ ଏକ ବୁଲା କୁକୁର କାମୁଡ଼ିଥିଲା। ୪ମାସ ପରେ ରବିବାର ଦିନ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ରେବିଜ୍ ରୋଗରେ ସେ ମୃତ୍ୟୁବରଣ କରିଥିବା ସାମ୍ନାକୁ ଆସିଛି। ମୃତକଙ୍କ ନାମ ଖଦିରା ବାନୁ ହୋଇଥିବା ବେଳେ ବେଙ୍ଗାଲୁରୁର ରାଜୀବ ଗାନ୍ଧୀ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଏପ୍ରିଲ ୨୭ରେ ଘର ବାହାରେ ଖେଳୁଥିବା ବେଳେ ବୁଲା କୁକୁର ଆସି ତାଙ୍କୁ କାମୁଡ଼ିଥିଲା। କୁକୁରଟି ତାଙ୍କ ମୁହଁ ଓ ଶରୀରର ଅନ୍ୟ ଅଙ୍ଗକୁ କାମୁଡ଼ିଥିଲା ବୋଲି ଜଣାଯାଇଛି। କୁକୁର ଆକ୍ରମଣ ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇଯାଇଥିଲେ। ପରେ ଚିକିତ୍ସା ସମୟରେ, ଉନ୍ନତ ଚିକିତ୍ସା ପାଇଁ ଝିଅଟିକୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାରେ ପରିବାର ଲୋକେ ୮ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।