ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ନିକଟରେ ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଥିବା ବେଳେ ଏବେ ପୁଣି ଫୈଜାବାଦ୍‌ ଜିଲ୍ଲାର ନାମ ପରିବର୍ତ୍ତନ କରି ଏହାକୁ ଅଯୋଧ୍ୟାରେ ପରିଣତ କରିବାର ପ୍ରୟାସ ଆରମ୍ଭ କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଦୀପାବଳି ଉତ୍ସବ ପାଇଁ ଅଯୋଧ୍ୟାରେ ଥିବାବେଳେ ଆଜି ଘୋଷଣା କରିଛନ୍ତି ଯେ ଫୈଜାବାଦ୍‌ ଖୁବ୍‌ ଶୀଘ୍ର ଅଯୋଧ୍ୟାର ପରିଚୟ ପାଇବ। ସର୍ଯ୍ୟୁ ନଦୀ କୂଳରେ ଥିବା ଏହି ଫୈଜାବାଦ୍‌ ଜିଲ୍ଲା ଦୁଇଟି ସହର ତଥା ଫୈଜାବାଦ୍ ଏବଂ ଅଯୋଧ୍ୟାକୁ ନେଇ ଗଢି ଉଠିଛି। ତେବେ ଖୁବ୍‌ ଶୀଘ୍ର ଏହି ଜିଲ୍ଲା ଅଯୋଧ୍ୟା ଭାବେ ଜଣାଶୁଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କହିଛନ୍ତି। ଅଯୋଧ୍ୟାରେ ଏକ ମେଡିକାଲ କଲେଜ୍‌ ଭଗବାନ ଶ୍ରୀରାମଙ୍କ ପିତା ରାଜା ଦଶରଥଙ୍କ ନାମରେ ନାମିତ ହେବ ଏବଂ ଅଯୋଧ୍ୟାରେ ଏକ ବିମାନ ବନ୍ଦରକୁ ଶ୍ରୀରାମଙ୍କ ନାମରେ ନାମିତ କରାଯିବ ବୋଲି ଆଦିତ୍ୟନାଥ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ସହରର ନାମ ପରିବର୍ତ୍ତନ କରିବାର ନିଷ୍ପତ୍ତିକୁ ନେଇ ଯୋଗୀ ଆଦିତ୍ୟନାଥ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି।

Advertisment

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ଦାବି ହେଉଥିବା ବେଳେ ୟୁପି ସରକାର ଏଠାରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା କରିଛନ୍ତି। ଫୈଜାବାଦରେ ଥିବା ଏୟାରଷ୍ଟ୍ରିପ୍‌କୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର‌ରେ ପରିଣତ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୮୪ ଏକର ଜମି ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ନିର୍ମାଣ ହେବା ଦ୍ବାରା ଅଯୋଧ୍ୟା ବିଶ୍ବ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ପାଲଟି ପାରିବ। ଫୈଜାବାଦ ଏୟାରଷ୍ଟ୍ରିପ୍‌ର ଲମ୍ବ ଦେଢ଼କିଲୋମିଟର ହୋଇଥିବା ବେଳେ ପ୍ରସ୍ଥ ୩୦ ମିଟର। ଏୟାରଷ୍ଟ୍ରିପ୍‌କୁ ଲାଗି ସରକାର ୨୮୪ ଜମି ଅଧିଗ୍ରହଣ କରି ଏଠାରେ ଏକ ବଡ଼ ବିମାନ ବନ୍ଦର ନିର୍ମାଣ କରିବେ। ଫଳରେ ବଡ଼ ବିମାନ ଏଠାରୁ ଚଳାଚଳ କରିପାରିବ। ଆଗକୁ ଅଯୋଧ୍ୟା ବିଶ୍ବ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିବାକୁ ଥିବାରୁ ଏଠାକୁ ଦେଶବିଦେଶର ଲୋକ ଆସିବେ। ସେମାନଙ୍କ ପାଇଁ ଏହି ପ୍ରସ୍ତାବିତ ବିମାନବନ୍ଦର ସହାୟକ ହେବ। ଏ ବାବଦରେ ସରକାରଙ୍କ ପକ୍ଷରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ ଚିଠି ଲେଖାଯାଇଛି। ତେବେ ଭଗବାନ ଶ୍ରୀରାମଙ୍କ ନାମରେ ଏହି ବିମାନବନ୍ଦରର ନାମକରଣ ହେବ। ସେହିଭଳି ଏକ ମେଡିକାଲ୍‌ କଲେଜ ରାମଙ୍କ ପିତା ଦଶରଥଙ୍କ ନାମରେ ନାମିତ ହେବ ବୋଲି ଜଣାପଡ଼ିଛି।