ନୂଆଦିଲ୍ଲୀ: ଭାରତୀୟ କମ୍ପାନି ବେଦାନ୍ତ ସହ ସେମିକଣ୍ଡକ୍ଟର୍‌ ନିର୍ମାଣ ଯୁଗ୍ମ ଉଦ୍ୟୋଗରୁ ଓହରି ଯିବାକୁ ଫକ୍ସକନ୍‌ ନିଷ୍ପତ୍ତି ନେଇଛି। ଫକ୍ସକନ୍‌ କହିଛି ଯେ ବର୍ତ୍ତମାନ ବେଦାନ୍ତର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏହି ସଂସ୍ଥାରୁ ଫକ୍ସକନ୍‌ ନିଜ ନାମକୁ ହଟାଇବା ଦିଗରେ କାର୍ଯ୍ୟ କରୁଛି।

Advertisment

ହୋନ୍‌ ହାଇ ଟେକ୍ନୋଲୋଜି ଗ୍ରୁପ୍‌ (ଫକ୍ସକନ୍‌) କହିଛି, ‘ଫକ୍ସକନ୍‌ର ଏହି ଯୁଗ୍ମପ୍ରକଳ୍ପ ସହିତ କୌଣସି ସମ୍ପର୍କ ନାହିଁ ଏବଂ ଏହାର ମୂଳ ନାମ ରଖିବାକୁ ପ୍ରୟାସ ଭବିଷ୍ୟତର ଅଂଶୀଦାରମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିବ’।

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ଫକ୍ସକନ୍‌ ଏବଂ ବେଦାନ୍ତ ଗୁଜରାଟରେ ଏକ ସେମିକଣ୍ଡକ୍ଟର ନିର୍ମାଣ ଏବଂ ଡିସ୍‌ପ୍ଲେ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ଗତ ବର୍ଷ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ, ଯେଉଁଥିରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ ରଖାଯାଇଥିଲା।

ତେବେ, ସୋମବାର ଏକ ବିବୃତିରେ ଫକ୍ସକନ୍‌ କହିଛି, ପାରସ୍ପରିକ ବୁଝାମଣା ଅନୁଯାୟୀ ଅଧିକ ବିବିଧ ବିକାଶ ସୁଯୋଗ ଖୋଜିବା ପାଇଁ ଫକ୍ସକନ୍‌ ନିଷ୍ପତ୍ତି ନେଇଛି ଯେ ସେ ବେଦାନ୍ତ ସହିତ ମିଳିତ ଉଦ୍ୟୋଗରେ ଆଉ ଆଗକୁ ବଢ଼ିବ ନାହିଁ।

ବିବୃତିରେ ଆହୁରି କୁହାଯାଇଛି ଯେ ଏକ ବର୍ଷରୁ ଅଧିକ ସମୟ ଧରି ହୋନ୍‌ ହାଇ ଟେକ୍ନୋଲୋଜି ଗ୍ରୁପ୍‌ (ଫକ୍ସକନ୍‌) ଏବଂ ବେଦାନ୍ତ  ସେମିକଣ୍ଡକ୍ଟର ପ୍ରକଳ୍ପକୁ ବାସ୍ତବରୂପ ଦେବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଏହି ଫଳପ୍ରଦ ଅଭିଜ୍ଞତା ଯାହା ଉଭୟ କମ୍ପାନିକୁ ଆଗକୁ ଦୃଢ଼ ଭାବରେ ଅବସ୍ଥାପିତ କରିପାରିବ।

ଭାରତର ସେମିକଣ୍ଡକ୍ଟର ବିକାଶର ଦିଗକୁ ନେଇ ଫକ୍ସକନ୍‌ ନିଶ୍ଚିତ ଅଛି। ଆମେ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଳାଷକୁ ଦୃଢ଼ ସମର୍ଥନ ଜାରି ରଖିବୁ ଏବଂ ଅଂଶୀଦାରମାନଙ୍କ ଆବଶ୍ୟକତାକୁ ପୂରଣ କରୁଥିବା ସ୍ଥାନୀୟ ଭାଗିଦାରୀର ବିବିଧତା ପ୍ରତିଷ୍ଠା କରିବୁ।