ଫ୍ରାନ୍ସ, ସ୍ପେନ୍‌ ସ୍ଥିତି ସାଂଘାତିକ: ୧୫୮ ରାଷ୍ଟ୍ରରେ କ‌ରୋନା, ମୃତ୍ୟୁସଂଖ୍ୟା ୬,୬୦୦ ଟପିଲା

୧,୭୩,୨୮୧ ଜଣ ଆକ୍ରାନ୍ତ, ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ଥାଇଲାଣ୍ଡ୍‌ ସେନା କଲ୍ୟାଣ ମୁଖ୍ୟ ଆକ୍ରାନ୍ତ

ନୂଆଦିଲ୍ଲୀ: ୧୫୮ଟି ରାଷ୍ଟ୍ରକୁ କରୋନା ଭାଇରସ୍‌ ବ୍ୟାପିଛି। ବିଶ୍ବବ୍ୟାପୀ ୧୭୩,୨୮୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦,୮୬୦ ଥିବାବେଳେ ଏବେ ଚୀନ୍‌ ବାହାରେ ଏହା ୮୭,୦୦୦ ଟପିଛି। କରୋନା ଯୋଗୁଁ ୬,୬୬୫ ଜଣଙ୍କ ମୃତ୍ୟୁ ହୋଇଛି। ୟୁରୋପୀୟ ରାଷ୍ଟ୍ର ଇଟାଲୀ, ଫ୍ରାନ୍ସ ଓ ସ୍ପେନ୍‌ରେ ସାଂଘାତିକ ସ୍ଥିତି ଉପୁଜିଛି। ଇଟାଲୀରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ଗତକାଲି ଗୋଟିଏ ଦିନରେ ଇଟାଲୀରେ ୩୬୮ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ୨୪,୭୦୦ ଟପିଛି। ସେହିପରି ଇରାନ୍‌ରେ ବି ମୃତ୍ୟୁସଂଖ୍ୟା ୮୫୩ରେ ପହଞ୍ଚିଛି। ଇରାନ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ୧୪,୯୯୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇରାନ୍‌ କ୍ଲରିକାଲ୍‌ ଆସେମ୍ବ୍‌ଲିର ଜଣେ ସଦସ୍ୟଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ଇରାନ୍‌ର ସର୍ବୋଚ୍ଚ ନେତାଙ୍କୁ ଚୟନ କରୁଥିବା ଇରାନ୍‌ର କ୍ଲରିକାଲ୍‌ ବଡି’ର ଜଣେ ବରିଷ୍ଠ ସଦସ୍ୟଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି।। ଇରାନ୍‌ରେ ସମୁଦାୟ ୨୩ ଜଣ ସାଂସଦ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

ୟୁରୋପୀୟ ରାଷ୍ଟ୍ର ଫ୍ରାନ୍ସ ଓ ସ୍ପେନ୍‌ରେ ସ୍ଥିତି ସାଂଘାତିକ ହୋଇଯାଇଛି। ସ୍ପେନ୍‌ରେ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦୦୦ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ୮,୭୯୪ ଜଣ ସ୍ପେନ୍‌ରେ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ୨୯୭ ଜଣଙ୍କର ମୃତ୍ୟୁ ହୋଇଛି। ସ୍ପେନ୍‌ ପ୍ରଧଶନମନ୍ତ୍ରୀ ଗତ ଶନିବାର ଦିନ ଜାତୀୟ ଏମର୍ଜେନ୍ସି ଘୋଷଣା କରିଥିଲେ। ଏଥିସହ ୪୭ ନିୟୁତ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସ୍ପେନ୍‌ରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହେଉଥିବାରୁ ଏଠାରେ ସମସ୍ତ ଘରୋଇ ହସ୍ପିଟାଲ୍‌ ଗୁଡ଼ିକୁ ସରକାର ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୨୩ ଟପିଛି। ୧୨୭ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ସମସ୍ତ ରେସ୍ତୋରାଁ, କେଫ୍‌ ଏବଂ ବାର୍‌ ବନ୍ଦ ରହିଛି । କିନ୍ତୁ ଇଟାଲୀ, ଇରାନ୍‌ ଏବଂ ସ୍ପେନ୍‌ ପରି ଏଠାରେ ସହର ବନ୍ଦ ହୋଇନି। ସେହିପରି ବ୍ରିଟେନ୍‌ରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି ଏବଂ ୧୩୯୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ରବିବାର ଦିନ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୱେଲ୍ସରେ ପୁଣି ୩୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଥାଇଲାଣ୍ଡ୍‌ ସେନା କଲ୍ୟାଣ ବିଭାଗ ମୁଖ୍ୟ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେ ସେନାର ପ୍ରାୟ ୬୦ ବରିଷ୍ଠ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ସମସ୍ତେ ଏବେ କ୍ବ୍ୟାରେଣ୍ଟିନ୍‌ରେ ଅଛନ୍ତି। ସେହିପରି ବରିଷ୍ଠ ବ୍ରିଟିଶ୍‌ ଲେବର ଏମ୍‌ପି ବୀରେନ୍ଦ୍ର ଶର୍ମା ଆଇସୋଲେସନ୍‌ରେ ଅଛନ୍ତି। ତାଙ୍କ ଶରୀରରେ କରୋନା ପରି ଲକ୍ଷଣ ଦେଖାଦେଇଛି। କିନ୍ତୁ ଏହା ସ୍ପଷ୍ଟ ହୋଇନି । ଜର୍ମାନୀରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଏହା ୫ଟି ରାଷ୍ଟ୍ରକୁ ଏହାର ସୀମା ବନ୍ଦ ରଖିଛି।

ସମ୍ବନ୍ଧିତ ଖବର