ଜାତିସଂଘ ସୁରକ୍ଷା ପରିଷଦ୍‌ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଓ ଆଉ ୩ଟି ରାଷ୍ଟ୍ରକୁ ସମର୍ଥନ କଲା ଫ୍ରାନ୍‌ସ୍‌

ଜାତିସଂଘ: ସମ୍ପ୍ରସାରିତ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଭାରତ, ଜର୍ମାନି, ବ୍ରାଜିଲ୍‌ ଏବଂ ଜାପାନର ସ୍ଥାୟୀ ସଦସ୍ୟତା ପାଇଁ ଶୁକ୍ରବାର ଦିନ ଫ୍ରାନ୍‌ସ୍‌ ତା’ର ସମର୍ଥନ ଦୋହରାଇଛି। ନୂତନ ଶକ୍ତି ଭାବେ ଉତ୍ଥାନ ଘଟୁଥିବା ଏହି ଦେଶଗୁଡ଼ିକର ସ୍ଥାୟୀ ଉପସ୍ଥିତି କ୍ଷମତାଶାଳୀ ବିଶ୍ବ ସଂଗଠନର ଦାୟିତ୍ବ ନିର୍ବାହ କରିବାକୁ ସମର୍ଥ ବୋଲି ଫ୍ରାନ୍‌ସ୍‌ କହିଛି।

ଜାତିସଂଘରେ ଫ୍ରାନ୍‌ସ୍‌ର ଡେପୁଟି ପର୍‌ମାନେଣ୍ଟ୍‌ ରିପପ୍ରଜେନ୍‌ଟେଟିଭ୍‌ ନ୍ୟାଥାଲି ବ୍ରଡ୍‌ଥର୍ଷ୍ଟ କହିଛନ୍ତି, ଫ୍ରାନ୍‌ସ୍‌ର ସ୍ଥିତି ଅପରିବର୍ତ୍ତିତ ଏବଂ ସୁପରିଚିତ। ଆମେ ଚାହୁଁ ଆଜିର ବିଶ୍ବରୁ ପରିଷଦ୍‌ରେ ଅଧିକ ପ୍ରତିନିଧି ରୁହନ୍ତୁ। ଫଳରେ ଏହାର କର୍ତ୍ତୃତ୍ବ ଏବଂ ଫଳପ୍ରଦତା ଆହୁରି ସୁଦୃଢ଼ ହେବ।

ସମାନ ପ୍ରତିନିଧିତ୍ବ, ସଦସ୍ୟତା ବୃଦ୍ଧି ଏବଂ ଜାତିସଂଘ ନିରାପତ୍ତା ପରିଷଦ୍‌ ସମ୍ବନ୍ଧିତ ଅନ୍ୟାନ୍ୟ ପ୍ରସଙ୍ଗରେ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାର ସାଧାରଣ ସଭାରେ ଉଦ୍‌ବୋଧନ ଦେବା ବେଳେ ବ୍ରଡ୍‌ଥର୍ଷ୍ଟ ଉପରୋକ୍ତ କଥା କହିଛନ୍ତି।

Image Courtesy of dailyO

ଇଂଲଣ୍ଡ୍‌ ମଧ୍ୟ ଭାରତ, ଜର୍ମାନି, ଜାପାନ ଓ ବ୍ରାଜିଲ୍‌କୁ ସମ୍ପ୍ରସାରିତ ଜାତିସଂଘ ସୁରକ୍ଷା ପରିଷଦ୍‌ର ସ୍ଥାୟୀ ସଦସ୍ୟ କରାଇବା ସପକ୍ଷରେ ମତ ଦେଇଛି। ଜାତିସଂଘସ୍ଥିତ ବ୍ରିଟେନ୍‌ର ରାଷ୍ଟ୍ରଦୂତ ବାର୍ବରା ଉଡ୍‌ୱାର୍ଡ କହିଛନ୍ତି ଯେ, ଆମର ଅବସ୍ଥିତି ମଧ୍ୟ ସୁପରିଚିତ। ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବର୍ଗରେ ସଦସ୍ୟ ସଂଖ୍ୟା ବୃଦ୍ଧି କରି ନିରାପତ୍ତା ପରିଷଦ୍‌କୁ ସମ୍ପ୍ରସାରଣ କରିବା ଲାଗି ଦୀର୍ଘ ଦିନରୁ ବ୍ରିଟେନ୍‌ କହିଆସୁଛି।

ସୂଚନାଯୋଗ୍ୟ, ୧୫ ରାଷ୍ଟ୍ର ସଦସ୍ୟବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଥିବା ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଆମେରିକା, ଇଂଲଣ୍ଡ୍‌, ଫ୍ରାନ୍ସ୍‌ ଏବଂ ରୁଷ୍‌ ଭାରତ ସ୍ଥାୟୀ ସଦସ୍ୟ ହେଉ ବୋଲି ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର