ନୂଆଦିଲ୍ଲୀ: ଇସଲାମକୁ ନେଇ ବିତର୍କ ଚାଲିଥିବା ମଧ୍ୟରେ ଫ୍ରାନ୍ସ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି। ୧୮୩ଜଣ ପାକିସ୍ତାନୀ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ନେଇ ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ନେଇଛି ଫ୍ରାନ୍ସ। ବିଶେଷ କଥା ହେଉଛି ଏହି ୧୮୩ ଜଣଙ୍କ ମଧ୍ୟରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ମୁଖ୍ୟ ଶୁଜା ପାଶାଙ୍କ ଭଉଣୀ ମଧ୍ୟ ରହିଛନ୍ତି। ବର୍ତ୍ତମାନ ତାଙ୍କ ପାଇଁ ପାକିସ୍ତାନୀ ଦୂତାବାସ ପକ୍ଷରୁ ଏକ ସ୍ୱତନ୍ତ୍ର ଆବେଦନ କରାଯାଇଛି।
ସୂଚନା ଅନୁଯାୟୀ, ଶୁଜା ପାଶାଙ୍କ ଭଉଣୀଙ୍କୁ ପ୍ୟାରିସରେ ରହିବାକୁ ଅନୁମତି ଦେବା ପାଇଁ ଫ୍ରାନ୍ସରେ ଥିବା ପାକିସ୍ତାନୀ କନସୁଲେଟ୍ ଏକ ଆବେଦନ କରିଛି, କାରଣ ସେ ସେଠାରେ ତାଙ୍କ ଶାଶୁଙ୍କ ସେବା କରୁଛନ୍ତି।
ଫ୍ରାନ୍ସରେ ପେଗାମ୍ବର ମହମ୍ମଦଙ୍କ ଛପାଯାଇଥିବା କାର୍ଟୁନ୍ ପାଇଁ ଫ୍ରାନ୍ସରେ ବିବାଦ ଦେଖାଦେଇଥିଲା, ଯାହା ପରେ ଫ୍ରାନ୍ସରେ ମଧ୍ୟ କିଛି ଆତଙ୍କବାଦୀ ଆକ୍ରମଣ ହୋଇଛି। କାର୍ଟୁନ୍ ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମୈକ୍ରୋଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନ ସମେତ ଅନ୍ୟ ମୁସଲମାନ ଦେଶମାନେ ନିନ୍ଦା କରିଛନ୍ତି।
ଏହି ବିବାଦ ମଧ୍ୟରେ ଫ୍ରାନ୍ସ, ପାକିସ୍ତାନୀ ଦୂତାବାସରେ ୧୮୩ଜଣ ପାକିସ୍ତାନୀ ନାଗରିକଙ୍କ ତାଲିକା ଦାଖଲ କରିଛି, ଯେଉଁମାନଙ୍କ ଭିସା ରଦ୍ଦ ହୋଇଛି। ଅଭିଯୋଗ ହୋଇଛି ଯେ ସେମାନେ ଫ୍ରାନ୍ସରେ ବେଆଇନ ଭାବରେ ରହୁଥିଲେ। ଫ୍ରାନ୍ସ ଭିସା ରଦ୍ଦ ନେଇ ତାଲିକା ଦାଖଲ କରିବା ପରେ କିଛି ଲୋକଙ୍କୁ ଅସ୍ଥାୟୀ ଭାବେ ରହିବାକୁ ଅନୁମତି ଦେବା ପାଇଁ ପାକିସ୍ତାନ ପକ୍ଷରୁ ଏକ ନିବେଦନ କରାଯାଇଥିବା ଜଣା ପଡ଼ିଛି।
ଉଲ୍ଲେଖଯୋଗ୍ୟ, ଫ୍ରାନ୍ସରେ ଜଣେ ଶିକ୍ଷକଙ୍କ ହତ୍ୟା ଏବଂ ପେଗାମ୍ବର ମହମ୍ମଦଙ୍କ କାର୍ଟୁନ୍ ଛପାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ତୁର୍କୀ, ପାକିସ୍ତାନ ସମେତ ଅନେକ ମୁସଲମାନ ଦେଶ ଫ୍ରାନ୍ସକୁ ନିନ୍ଦା କରିଥିଲେ। ତେବେ ଫ୍ରାନ୍ସ ରାଷ୍ଟ୍ରପତି ସ୍ପଷ୍ଟ କରିଥିଲେ ଯେ ସେ ନିଜ ଦେଶରେ ଧର୍ମ ନାମରେ ହିଂସା ସୃଷ୍ଟି କରିବାକୁ ଅନୁମତି ଦେବେ ନାହିଁ।