ପ୍ୟାରିସ୍: ଫ୍ରାନ୍ସରେ ମାନବତା ଲଜ୍ଜିତ କଲା ଭଳି ଏକ ଅତ୍ୟନ୍ତ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ବିରୋଧରେ ଦଶନ୍ଧି ଧରି ଛୋଟ ପିଲାଙ୍କ ପ୍ରତି ଯୌନ ଅତ୍ୟାଚାର କରୁଥିବାର ଅଭିଯୋଗ ଆସିଛି। ଗ୍ରେନୋବଲର ପବ୍ଲିକ ପ୍ରସିକ୍ୟୁଟର ଏଟିଏନ୍ ମାଣ୍ଟୋକ୍ସ କହିଛନ୍ତି ଯେ, ୭୯ ବର୍ଷ ବୟସ୍କ ଜ୍ୟାକ୍ ଲେଭେଗଲ୍ ୫୫ ବର୍ଷ ମଧ୍ୟରେ ୯ ଦେଶର ୮୯ ଜଣ ନିର୍ଦ୍ଦୋଷ ପିଲାଙ୍କୁ ନିଜର ଯୌନ ଲାଳସାର ଶିକାର କରିଛନ୍ତି। ଏହି ଘଟଣା କେବଳ ଫ୍ରାନ୍ସ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଚେତାବନୀ। ଏହା ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।। ଏହି ଘଟଣା ପୁଣି ଥରେ ଆଧୁନିକ ସମୟରେ ଡିଜିଟାଲ୍ ପ୍ରମାଣର ଗୁରୁତ୍ୱକୁ ପ୍ରତିପାଦିତ କରିଛି

Advertisment

ପର୍ଦ୍ଦାଫାସ୍ କଲା ୟୁଏସ୍‌ବି ଡ୍ରାଇଭ୍

ଅଭିଯୁକ୍ତ ଜ୍ୟାକ୍ ଲେଭେଗଲଙ୍କ କଳା କାରନାମା ପ୍ରକାଶ ପାଇଥିଲା, ଯେତେବେଳେ ତାଙ୍କର ଜଣେ ସମ୍ପର୍କୀୟ ଭୁଲବଶତଃ ତାଙ୍କର ଏକ ପୁରୁଣା ୟୁଏସ୍‌ବି ଡ୍ରାଇଭ୍ ପାଇଥିଲେ। ଏହି ଡ୍ରାଇଭ୍ ଭିତରେ, ଅଭିଯୁକ୍ତ ଏକ ଡିଜିଟାଲ୍ ଆତ୍ମଜୀବନୀ ଲେଖିଥିଲେ। ଏହା ପ୍ରାୟ ୧୫ଟି ପୃଥକ ଖଣ୍ଡରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏହି ଡକ୍ୟୁମେଣ୍ଟଗୁଡ଼ିକୁ ବ୍ୟବହାର କରି, ତଦନ୍ତକାରୀ ଏଜେନ୍ସିଗୁଡ଼ିକ ୧୯୬୭ରୁ ୨୦୨୨ମଧ୍ୟରେ ହୋଇଥିବା ସମସ୍ତ ଜଘନ୍ୟ ଅପରାଧ ବିଷୟରେ ସୂଚନା ସଂଗ୍ରହ କରିଛନ୍ତି।ତଦନ୍ତକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ତାଙ୍କ ଆତ୍ମଜୀବନୀରେ କରିଥିବା ପ୍ରତ୍ୟେକ ଅପରାଧର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଯାହା ସୁରକ୍ଷା ଏଜେନ୍ସିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଦେଇଛି। ତଦନ୍ତରେ ଏପର୍ଯ୍ୟନ୍ତ ୮୯ ପୀଡିତଙ୍କୁ ଚିହ୍ନଟ କରାଯାଇଛି। ସମସ୍ତ ପୀଡ଼ିତଙ୍କ ବୟସ ସେତେବେଳେ ୧୩ ରୁ ୧୭ ବର୍ଷ ମଧ୍ୟରେ ଥିଲା। ଅନ୍ୟ ଅଜ୍ଞାତ ପୀଡିତମାନଙ୍କୁ ଆଗକୁ ଆସି ଅଭିଯୋଗ ଦାଖଲ କରିବାକୁ ଉତ୍ସାହିତ କରିବା ପାଇଁ ପବ୍ଲିକ ପ୍ରସିକ୍ୟୁଟରମାନେ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଛନ୍ତି।

ପ୍ରଶାସନ  ଜାରି କଲା ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର

ଫ୍ରାନ୍ସରେ ତଦନ୍ତ ସମୟରେ ଯେକୌଣସି ଅଭିଯୁକ୍ତଙ୍କ ପରିଚୟ ସାଧାରଣତଃ ଗୁପ୍ତ ରଖାଯାଇଥାଏ। କିନ୍ତୁ ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ନିୟମ ପରିବର୍ତ୍ତନ କରାଯାଇଛି। ପବ୍ଲିକ ପ୍ରସିକ୍ୟୁଟର ମାଣ୍ଟୋକ୍ସ କହିଛନ୍ତି ଯେ, ଅନେକ ପୀଡିତ ସେମାନଙ୍କ ପାଖରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ, ତେଣୁ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିବା ଜରୁରୀ ଥିଲା। ପ୍ରଶାସନ ଏକ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି ଯାହା ଦ୍ୱାରା ଭୟଭୀତ ପୀଡିତମାନେ ସେମାନଙ୍କର କାହାଣୀ ବଖାଣିପାରିବେ ଓ ନ୍ୟାୟ ପାଇପାରିବେ।

ନେଟୱାର୍କ ଅନେକ ଦେଶକୁ ବ୍ୟାପିଥିଲା

ଅଭିଯୁକ୍ତ ଜ୍ୟାକ୍ ଲେଭେଗଲଙ୍କ ବିରୋଧରେ ଚାଲିଥିବା ତଦନ୍ତରୁ ଆଶ୍ଚର୍ଯ୍ୟଜନକ ସତ୍ୟ ପ୍ରକାଶ ପାଇଛି ଯେ, ତାଙ୍କର ଅପରାଧ କେବଳ ଫ୍ରାନ୍ସ ସୀମା ମଧ୍ୟରେ ସୀମିତ ନଥିଲା। ଅଭିଯୁକ୍ତଙ୍କ ଦ୍ୱାରା ଲିଖିତ ତଥ୍ୟରେ ସେ ବିଭିନ୍ନ ଅପରାଧ ଭାରତ, ଫିଲିପାଇନ୍ସ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ମରକ୍କୋ ,ନାଇଜର, ଆଲଜେରିଆ,କଲମ୍ବିଆ ଓ ଫରାସୀ ବିଦେଶୀ ଅଞ୍ଚଳ ନ୍ୟୁ କାଲିଡୋନିଆରେ କରିଥି‌ଲେ। ସେ ଜଣେ ଫ୍ରିଲାନ୍ସ ଶିକ୍ଷକ ଓ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ସେ ପିଲାଙ୍କୁ ଟାର୍ଗେଟ କରିଥିଲେ। ଅଭିଯୁକ୍ତ ଏପ୍ରିଲ ୨୦୨୫ ଠାରୁ ନ୍ୟାୟିକ ହେପାଜତରେ ଅଛନ୍ତି । ତଦନ୍ତ ଏଜେନ୍ସିଗୁଡ଼ିକ ଅନୁସରରେ ଜ୍ୟାକସ୍ ଜଣେ ଶିକ୍ଷକ ଭାବରେ ତଥା ଅନ୍ୟାନ୍ୟ ପଦବୀରେ ରହି ପିଲାମାନଙ୍କୁ ମାନସିକ ନିର୍ଯାତନା ଦେବା ସହିତ ନିଜଙକ ପଦବୀର ଅପବ୍ୟବହାର କରିଥିଲେ। ଏହି ମାମଲାରେ ଜଡିତ ଆନ୍ତର୍ଜାତୀୟ ଲିଙ୍କ୍ ଯୋଗୁ ଅନେକ ଦେଶର ପୁଲିସ ସତର୍କତାର ସହିତ ଏହାର ତଦନ୍ତ କରୁଛନ୍ତି। ମୁହଁରେ ତକିଆ ମାଡ଼ି ମା ଓ ଖୁଡ଼ିଙ୍କୁ ହତ୍ୟା କରିଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ତାଙ୍କ ନିଜ ପରିବାରର ଦୁଇ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ମାମଲାଟି ଅଧିକ ଗମ୍ଭୀର ମୋଡ଼ ନେଇଥିଲା। ସେ ତଦନ୍ତକାରୀମାନଙ୍କୁ କହିଥିଲେ ଯେ, ସେ କର୍କଟ ରୋଗରେ ପୀଡିତ ତାଙ୍କ ମା ଓ ୯୨ ବର୍ଷୀୟ ଖୁଡ଼ିଙ୍କ ମୁହଁରେ ତକିଆ ମାଡ଼ି ହତ୍ୟା କରିଥିଲେ।

କଠୋରତମ ଦଣ୍ଡ ଦେବାକୁ ଦାବି

ଏବେ, ଫ୍ରାନ୍ସର ଲୋକମାନେ ଏହି ନୃଶଂସ ବ୍ୟକ୍ତିଙ୍କୁ କଠୋରତମ ଦଣ୍ଡ ଦେବାକୁ ଦାବି କରୁଛନ୍ତି , ଯାହା ଦ୍ୱାରା ଭବିଷ୍ୟତରେ ଆଉ କେହି ଏପରି ଜଘନ୍ୟ ଅପରାଧ କରିବାକୁ ସାହସ କରିବେ ନାହିଁ। ଆଇନ ବିଶେଷଜ୍ଞମାନେ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଅଧିକ ବୟସ ଯୋଗୁ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ଅତ୍ୟନ୍ତ ଜରୁରୀ। ଏହି ସମଗ୍ର ଘଟଣା ଶିଶୁ ସୁରକ୍ଷା ଓ ଅନ୍ତର୍ଜାତୀୟ ସହଯୋଗର ଗୁରୁତ୍ୱ ବିଷୟରେ ସାରା ବିଶ୍ୱରେ ଏକ ନୂତନ ବିତର୍କ ସୃଷ୍ଟି କରିଛି।

ଆହୁରି ପଢନ୍ତୁ - WorldCup is possible without Pakistan: ପାକିସ୍ତାନ ବିନା ବିଶ୍ବକପ୍‌ ହୋଇପାରେ, ଭାରତ ବିନା ନୁହେଁ : ହରଭଜନ