ନୂଆଦିଲ୍ଲୀ: ଭାରତ ଆଉ ୩୬ଟି ରାଫେଲ୍‌ ଲଢୁଆ ବିମାନ କିଣୁ ବୋଲି ଫ୍ରାନ୍‌ସ୍‌ ଚାହୁଁଛି। ଲଢୁଆ ବିମାନ କାର୍ଯ୍ୟକ୍ରମ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ମୁଖ୍ୟ କଥା ବୋଲି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ବର୍ଣ୍ଣନା କରି ପରୋକ୍ଷରେ ଏ ଭଳି ପ୍ରସ୍ତାବ ଦେଇଛନ୍ତି।

Advertisment

ସରକାର ଭାରତୀୟ ବାୟୁସେନା ପାଇଁ ଅଧିକ ରାଫେଲ୍‌ ଜେଟ୍‌ କିଣୁ ବୋଲି ନିକଟରେ ଫ୍ରାନ୍‌ସ୍‌ ସରକାର ନିକଟରେ ତା’ର ବ୍ୟାକୁଳତା ଦର୍ଶାଇ ଯୋଗସୂତ୍ର ସ୍ଥାପନ କରିଥିଲା। ଫ୍ରାନ୍‌ସ୍‌ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍‌ସ୍‌ ପାର୍ଲି ଏବଂ ତାଙ୍କର ଭାରତୀୟ ପ୍ରତିପକ୍ଷ ନିର୍ମଳା ସୀତାରମଣଙ୍କ ସହ ଆଉ ୩୬ଟି ରାଫେଲ୍‌ ଜେଟ୍‌ କିଣିବା ପ୍ରସଙ୍ଗରେ କଥା ପକାଇଥିଲେ।

କିନ୍ତୁ, ଏ ସଂକ୍ରାନ୍ତରେ ଭାରତ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବା କଥା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍‌ସ୍‌ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ରାଫେଲ୍‌ କିଣାବିକା କଥା ପଡ଼ିଥିଲା।

ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ପରେ ଫ୍ରାନ୍‌ସ୍‌ ରାଷ୍ଟ୍ରପତି ମାକ୍ରୋନ୍‌ ଗଣମାଧ୍ୟମକୁ କହିଲେ: ଭାରତ ଏ ବାବଦରେ ସାର୍ବଭୌମ ନିଷ୍ପତ୍ତି ନେଇଥିଲା। ଆମେ କ୍ଷେତ୍ରବିଶେଷରେ ଏହାର ଅଗ୍ରଗତିକୁ ଅନୁଧ୍ୟାନ କରିଥିଲୁ। ଏହି କାର୍ଯକ୍ରମ ଚାଲୁ ରଖିବାକୁ ଆମର ଭାରି ଇଚ୍ଛା।
ପାରସ୍ପରଙ୍କ ଲାଭଦାୟକ ଏହା ଏକ ଦୀର୍ଘସୂତ୍ରୀ ଚୁକ୍ତି। ମୋ ବ୍ୟକ୍ତିଗତ ବିଚାରରେ ପ୍ରତିରକ୍ଷା ସହଯୋଗୀତାରେ ଏହା ଅସଲ କଥା।