ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିକୁ ନେଇ ଦେଶରେ ଲାଗି ରହିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଫ୍ରାନ୍୍ସର ପୂର୍ବ ରାଷ୍ଟ୍ରପତି ଫ୍ରାନ୍୍ସୁଆ ଓଲାନ୍ଦ କହିଛନ୍ତି ଯେ ରାଫେଲ ଚୁକ୍ତି ପାଇଁ ଭାରତ ସରକାର ଅନୀଲ ଅମ୍ବାନିଙ୍କ ରିଲାଏନ୍ସର ନାମ ପ୍ରସ୍ତାବ ଦେଇଥିଲେ ଏବଂ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଏଭିଏସନ୍ କମ୍ପାନି ପାଖରେ ରିଲାଏନ୍ସ ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା। ଫ୍ରାନ୍୍ସର ଏକ ପତ୍ରିକାକୁ ସାକ୍ଷାତକାର ଦେଇ ଓଲାନ୍ଦ କହିଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ରିଲାଏନ୍ସର ନାମ ଆସିଥିବାରୁ ଫ୍ରାନ୍୍ସର ନିର୍ମାଣକାରୀ ସଂସ୍ଥା ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା। ଡାସଲ୍ଟ ଭାରତର ପ୍ରସ୍ତାବ ଆଧାରରେ ଅନୀଲ ଅମ୍ବାନିଙ୍କ ସହ ଯୋଗସୂତ୍ର ରକ୍ଷା କରି କାର୍ଯ୍ୟ କରିଥିଲା ବୋଲି ସେ କହିଛନ୍ତି। ପୂର୍ବରୁ ସରକାର ଦାବି କରିଥିଲେ ଯେ ଫ୍ରାନ୍୍ସର ଡାସଲ୍୍ଟ ସଂସ୍ଥା ଏବଂ ରିଲାଏନ୍ସ ମଧ୍ୟରେ ବୁଝାମଣା ହୋଇଥିଲା ଏବଂ ଏଥିରେ ସରକାରଙ୍କ କୌଣସି ଭୂମିକା ନଥିଲା। ଓଲାନ୍ଦଙ୍କ ବୟାନ ଭାରତରେ ଝଡ଼ ସୃଷ୍ଟି କରିଥିବା ବେଳେ କଂଗ୍ରେସ ନେତା ମନିଷ ତିଓ୍ଵାରୀ ଟ୍ଵିଟ୍ କରି ପ୍ରଶ୍ନ କରିଛନ୍ତି ଯେ ୨୦୧୨ରେ ଗୋଟିଏ ରାଫେଲର ମୂଲ୍ୟ ୫୯୦ କୋଟି ଥିବା ବେଳେ ୨୦୧୫ରେ ତାହା ୧୬୯୦ କୋଟି କିଭଳି ହେଲା ତାହା ମଧ୍ୟ ଓଲାନ୍ଦ ସ୍ପଷ୍ଟ କରିବା ଉଚିତ। ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ଫ୍ରାନ୍୍ସର ପୂର୍ବ ରାଷ୍ଟ୍ରପତିଙ୍କ ବୟାନ ସଂପର୍କିତ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି। ତେବେ ଡାସଲ୍ଟ ସହ ନିର୍ମାଣ ସଂପର୍କିତ ନିଷ୍ପତ୍ତିରେ ଭାରତ ସରକାର କିମ୍ବା ଫ୍ରାନ୍୍ସ ସରକାରଙ୍କ କୌଣସି ଭୂମିକା ନଥିଲା ବୋଲି ସରକାର ସ୍ପଷ୍ଟ କରିଛନ୍ତି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିିମିଟେଡ (ଏଚ୍ଏଏଲ୍) ରାଫେଲ ନିର୍ମାଣରେ ଅଂଶୀଦାର ହେବାପାଇଁ ଭିତ୍ତିଭୂମି ନଥିବା ଦର୍ଶାଇବା ପରେ ୟୁପିଏ ସରକାର ଏହି ଚୁକ୍ତି ସଂପନ୍ନ କରିପାରି ନଥିଲେ। ତେଣୁ ରିଲାଏନ୍ସ ଡିଫେନ୍ସ ଏ ଦିଗରେ ସକ୍ରିୟତାର ସହ ଆଗକୁ ବଢ଼ିଥିଲା ବୋଲି ସରକାର ଯୁକ୍ତି ଦର୍ଶାଇଛନ୍ତି। ଓଲାନ୍ଦଙ୍କ ବୟାନକୁ ନେଇ ଏବେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଏହି ମାମଲାରେ ଦେବାଳିଆ ଅନୀଲ ଅମ୍ବାନିଙ୍କୁ ବହୁ କୋଟି ଟଙ୍କାର ଠିକା ଯୋଗାଇ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ରାଫେଲ ସଂପର୍କରେ ସତ୍ୟ କ’ଣ ତାହା ଜଣାଇବା ଆବଶ୍ୟକ।
ଫ୍ରାନ୍ସ ପୂର୍ବ ରାଷ୍ଟ୍ରପତି ଓଲାନ୍ଦଙ୍କ ବିସ୍ଫୋରକ ବୟାନ ଭାରତ ଦେଇଥିଲା ରିଲାଏନ୍ସର ନାମ
ଅମ୍ବାନୀଙ୍କୁ ଫାଇଦା ଦେଇଛନ୍ତି ମୋଦୀ: ରାହୁଲ
/sambad/media/post_attachments/wp-content/uploads/2018/09/y-web-750x500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)