ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସେନାରେ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକମାନେ ଜଣେ ଏନସିସି କ୍ୟାଡେଟଙ୍କୁ କେବଳ ନକଲି ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ବାଧ୍ୟ କରି ନଥିଲେ ବରଂ ତାଙ୍କୁ ଏକ ସେନା ୟୁନିଫର୍ମ ମଧ୍ୟ ପ୍ରଦାନ କରିଥିଲେ।
ଏହି ସମ୍ପୂର୍ଣ୍ଣ ଘଟଣା ମହାରାଜଗଞ୍ଜ ଜିଲ୍ଲାର ନିଚଲୌଲ ଥାନା ଅଞ୍ଚଳରେ ଅବସ୍ଥିତ ଡୋମା କାଣ୍ଟି ଗାଁରେ ଘଟିଛି। ଗ୍ରାମର ବାସିନ୍ଦା ନଗମା ପୁଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି, ‘ ମୁଁ ଡୋମା ଖଣ୍ଡ କୃଷକ ଇଣ୍ଟର କଲେଜର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଏବଂ ଜଣେ ଏନସିସି କ୍ୟାଡେଟ। ଅଗଷ୍ଟ ୧୦ ତାରିଖରେ ମୁଁ ଗୁଳିଚାଳନା ତାଲିମ ପାଇଁ ମାଥାଲାର ସାଲେମପୁରକୁ ଯାଇଥିଲେ। ସେଠାରେ ମୋର ଧୀରଜ କୁମାର ନାମକ ଜଣେ ବ୍ୟକ୍ତିଙ୍କ ସହିତ ଭେଟ ହୋଇଥିଲା। ଯିଏକି ମୋତେ ସେନାରେ ଚାକିରିର ଦେବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଥିଲେ।
ପ୍ରଶିକ୍ଷଣରୁ ଫେରିବା ପରେ ମୁଁ ବି ଧୀରଜ ଦେଖାଇଥିବା ଲୋଭରେ ଫସି ଯାଇଥିଲି। ଧୀରଜ ସେପ୍ଟେମ୍ବର ୨୩ ତାରିଖରେ ମୋତେ ଫୋନ୍ କରି ଗୋରଖପୁରକୁ ନିମନ୍ତ୍ରଣ କରିଥିଲେ। ମୁଁ ସେଠାକୁ ଯିବା ପରେ ସେପ୍ଟେମ୍ବର ୨୪ ତାରିଖରେ ଧୀରଜ ଗୋରଖପୁର ବସ୍ ଷ୍ଟେସନରେ ମୋତେ ଏକ ସେନା ୟୁନିଫର୍ମ ପ୍ରଦାନ କରିଥିଲେ।
ସେପ୍ଟେମ୍ବର ୨୫ ତାରିଖରେ ଧୀରଜ ଗୋରଖପୁରର ମେଡିକାଲ କଲେଜରେ ମୋର ରକ୍ତ ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ସେ ମୋ ସହିତ ଅନ୍ୟ କିଛି ଯୁବକ ଓ ଯୁବତୀଙ୍କୁ ଧରି ବସ୍ ଯୋଗେ ରାଜସ୍ଥାନର ପୁଷ୍କରରେ ପହଞ୍ଚିଥିଲେ। ଏଠାରେ ଧୀରଜ ଅଙ୍ଗଦ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ସହିତ ମୋତେ ସାକ୍ଷାତ କରାଇଥିଲେ। ଯାହାଙ୍କୁ ସେ ସେନାର 'ସିଓ' ଭାବରେ ପରିଚୟ କରାଇଥିଲେ।
ଅଙ୍ଗଦ ମିଶ୍ର କହିଥିଲେ ଯୋଗଦାନ ପତ୍ର ପାଇଁ ୨.୭୦ଟଙ୍କା ଆବଶ୍ୟକ। ଏହାପରେ ମୁଁ ଘରକୁ ଟଙ୍କା ଯୋଗାଡ଼ ପାଇଁ ଚାଲି ଆସିଥିଲି। ମୋତେ ସେନା ପୋଷାକରେ ଦେଖି ପରିବାର ଏବଂ ଗ୍ରାମବାସୀମାନେ ବହୁତ ଖୁସି ହୋଇଯାଇଥିଲେ। ଖୁବ ସମ୍ମାନିତ କରି ଏକ ଗାଡ଼ିରେ ବସାଇ ତ୍ରିରଙ୍ଗା ସହିତ ଶୋଭାଯାତ୍ରା ବାହାର କରିଥିଲେ।
ଦୁଇ ଦିନ ପରେ ଯେତେବେଳେ ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଠକେଇର ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିଥିଲା ମୋ ପାଦତଳୁ ମାଟି ଖସି ଯାଇଥିଲା।
ପୁଲିସ ସୂଚନା ଅନୁଯାୟୀ, ଏହା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ହୋଇପାରେ। ଯେଉଁ ଗ୍ୟାଙ୍ଗ ନିରୀହ ଯୁବକ ଓ ଯୁବତୀମାନଙ୍କୁ ସେନାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଠକୁଛନ୍ତି। ପୀଡିତା କ୍ୟାଡେଟ୍ ନଗମାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ଧୀରଜ କୁମାର ଏବଂ ଅଙ୍ଗଦ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ ତଦନ୍ତ କରୁଛି।