ନୂଆଦିଲ୍ଲୀ : କିଛିଦିନ ତଳେ ପୁରୀର କାକଟପୁରରେ ଆର୍ଟିପିସିଆର୍ ରିପୋର୍ଟ ଜାଲିଆତି କରାଯାଉଥିବା ଖବର ପ୍ରକାଶ ପାଇଥିଲା। ଏହି ଜାଲିଆତି କରୁଥିବା ଲାବ୍ରୋଟେରି ଉପରେ ଚଢ଼ଉ କରାଯାଇ ସିଲ୍ କରାଯାଇଥିଲା। ତେବେ, ଏହି ଜାଲ୍ ଆର୍ଟିପିସିଆର୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ କାକଟପୁରରେ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଏହା ଦେଖିବାକୁ ମିଳିଛି। ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ପ୍ରବେଶ କରିବା ପାଇଁ ଏହି ଜାଲ୍ ରିପୋର୍ଟ ହିଁ ମାଧ୍ୟମ ପାଲଟିଛି।
କରୋନାର ଦ୍ବିତୀୟ ଲହର ବ୍ୟାପକତାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କଟକଣା ଜାରି କରାଯାଇଛି। ବିଶେଷକରି, କରୋନା ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ରେଳ ଓ ବିମାନରେ ଯାତ୍ରା କରୁଥିବା ଲୋକଙ୍କର ବ୍ୟାପକ ଯାଞ୍ଚ କରାଯାଉଛି। ଏବେ ଯାଞ୍ଚରୁ ଜଣାପଡ଼ିଛି ଯେ ବହୁଲୋକ ଜାଲ୍ ଆର୍ଟିପିସିଆର୍ ରିପୋର୍ଟ ଦେଖାଇ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛନ୍ତି। ନିକଟରେ ଗୋଆ, ଦିଲ୍ଲୀ, ଉତ୍ତର ପ୍ରଦେଶ ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗରେ ଏମିତି କିଛି ମାମଲା ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ, ଯାତ୍ରୀମାନେ ଅନ୍ୟମାନଙ୍କର ଆରଟିପିଆର ନେଗେଟିଭ ରିପୋର୍ଟ ସଫ୍ଟୱେର ଜରିଆରେ ଜାଲ୍ କରି ଭ୍ରମଣ କରୁଛନ୍ତି। ଏଥସହିତ କିଛି ବ୍ୟକ୍ତିମାନେ ବହୁଦିନ ପୂର୍ବରୁ କରିଥିବା ଆରଟିପିସିଆର ନେଗେଟିଭ ରିପୋର୍ଟରେ ତାରିଖ ବଦଳାଇ ଯାତ୍ରା କରୁଛନ୍ତି।
ଏହିଭଳି ଲୋକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବ୍ୟାପକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଚିନ୍ତାର କାରଣ ହୋଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଥିପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି।