ବେଙ୍ଗାଲୁରୁ: ଆସନ୍ତା ଜୁନ୍ ପହିଲାରୁ କର୍ଣ୍ଣାଟକରେ ମହିଳାମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ। ଉଲ୍ଲେଖଯୋଗ୍ୟ, ସାଧାରଣ ବସରେ ମହିଳାଙ୍କ ପାଇଁ ବହୁ ପ୍ରତୀକ୍ଷିତ ମାଗଣା ଯାତ୍ରା ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଅନ୍ୟତମ ନିର୍ବାଚନୀ ପ୍ରତିଶ୍ରୁତି ଥିଲା। ଜୁନ୍ ୧ରେ କ୍ୟାବିନେଟ୍ ବୈଠକ ପରେ ଏହା କାର୍ଯ୍ୟକାରୀ ହେବ ବୋଲି ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ କହିଛନ୍ତି।
ପରିବହନ ମନ୍ତ୍ରୀ ଶ୍ରୀ ରେଡ୍ଡୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଯୋଜନା ସମ୍ପର୍କରେ ଅଧିକାରୀଙ୍କ ଠାରୁ ଏକ ରିପୋର୍ଟ ମେ’ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ପ୍ରଦାନ କରାଯିବ। ଜୁନ୍ ପହିଲାରେ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ପରେ ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯିବ।
କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ (କେଏସଆରଟିସି)ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ମନ୍ତ୍ରୀ ରାଜସ୍ୱ ଏବଂ ବସ୍ ଫ୍ଲିଟ୍ର ସ୍ଥିତି ସମେତ ସମସ୍ତ ବିବରଣୀ ନେଇଛନ୍ତି। କର୍ଣ୍ଣାଟକରେ ମହିଳା ଯାତ୍ରୀମାନଙ୍କୁ ନିଗମ କିପରି ମାଗଣା ବସ୍ ସେବା ପ୍ରଦାନ କରିପାରିବ ସେ ବିଷୟରେ ମଧ୍ୟ ମନ୍ତ୍ରୀ ନିଗମ କର୍ତ୍ତୃପକ୍ଷଙ୍କ ସହ ବିଶଦ ଭାବେ ଆଲୋଚନା କରିଛନ୍ତି।
କର୍ଣ୍ଣାଟକରେ ନବଗଠିତ ସରକାରଙ୍କ କ୍ୟାବିନେଟର ପ୍ରଥମ ବୈଠକରେ କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାରରେ ଭୋଟରଙ୍କୁ ଦିଆଯାଇଥିବା ୫ଟି ଗ୍ୟାରେଣ୍ଟିକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ କ୍ୟାବିନେଟ୍ ବୈଠକରେ ଏହି ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ପୂର୍ବରୁ କହିଥିଲେ। ଏହି ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/bus-1.jpg)