ନୂଆଦିଲ୍ଲୀ: ନିର୍ବାଚନ ସମୟରେ ମାଗଣା ଘୋଷଣା ସଂସ୍କୃତି (ଫ୍ରିବି କଲ୍ଚର)କୁ ବନ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ମଙ୍ଗଳବାର ସୁପ୍ରିମ୍କୋର୍ଟ କହିଲେ ଯେ ଦେଶର ମଙ୍ଗଳ ପାଇଁ ଏହା ଉପରେ ଏକ ବିତର୍କ ହେବା ଉଚିତ। ଫ୍ରିବି (ମାଗଣା ବଣ୍ଟନ) ଓ ଜନକଲ୍ୟାଣ ଯୋଜନା ଭିତରେ ପାର୍ଥକ୍ୟ ଜାଣିବାର ଆବଶ୍ୟକତା ଅଛି ବୋଲି ପ୍ରଧାନବିଚାରପତି ଏନ୍ଭି ରମଣା କହିଥିଲେ। ପ୍ରଧାନବିଚାରପତି କହିଲେ- ଯଦି କେନ୍ଦ୍ର ସରକାର ମାଗଣା ସଂସ୍କୃତିକୁ ନିଷିଦ୍ଧ କରିବା ପାଇଁ ଏକ ଆଇନ ଆଣନ୍ତି, ତେବେ ତାହା ବିଚାରବିଭାଗୀୟ ପରୀକ୍ଷଣର ଅନ୍ତର୍ଭୁକ୍ତ ହେବ କି?
ଶୁଣାଣି ସମୟରେ ତାମିଲନାଡ଼ୁ ଅର୍ଥମନ୍ତ୍ରୀ ପାଲାନିଭେଲ ଥିଆଗା ରାଜନଙ୍କ ମନ୍ତବ୍ୟ ଉପରେ କୋର୍ଟ ଆପତ୍ତି ଉଠାଇଥିଲେ। ଥିଆଗା ରାଜନ ଫ୍ରିବି ଉପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି କହିଥିଲେ ରାଜ୍ୟ ସରକାରଗୁଡ଼ିକ କାହିଁକି ତାଙ୍କର ନୀତି ବଦଳାଇବେ? ଏହା ଉପରେ ସିଜେଆଇ କହିଥିଲେ ଯେ ପ୍ରଜ୍ଞା (ପ୍ରକୃଷ୍ଟ ଜ୍ଞାନ) କେବଳ ଜଣେ ଲୋକ ପାଖରେ ବା ଗୋଟିଏ ଦଳ ପାଖରେ ଅଛି ବୋଲି ସେ ଭାବୁନାହାନ୍ତି। ଆମର ମଧ୍ୟ କିଛି ଦାୟିତ୍ବ ଅଛି। ଯଦି କୌଣସି ଦଳ ଲୋକଙ୍କୁ ସିଙ୍ଗାପୁର, ହଂକଂ ଓ ବ୍ୟାଙ୍କ୍କ ବୁଲାଇ ନେବାକୁ କହି ଭୋଟ୍ ମାଗିବ, ସେ କ୍ଷେତ୍ରରେ କ’ଣ ନିର୍ବାଚନ କମିସନ ହସ୍ତକ୍ଷେପ କରିବେ ନାହିଁ କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ।
ଗତ ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ କହିଥିଲେ ଯେ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ପ୍ରତିଶ୍ରୁତି ଦେବେ ଓ ତାହାକୁ ବନ୍ଦ କରାଯାଇପାରିବ ନାହିଁ। କିନ୍ତୁ ‘ଫ୍ରିବି’ କାହାକୁ କୁହାଯାଏ ତା’ର ସଂଜ୍ଞା ନିରୂପଣ ହେବା ଉଚିତ। ପ୍ରଧାନବିଚାରପତି ପଚାରିଥିଲେ,- ସାର୍ବଜନୀନ ସ୍ବାସ୍ଥ୍ୟ ସେବା, ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ଇତ୍ୟାଦିକୁ ‘ଫ୍ରିବି’ କୁହାଯାଇପାରିବ କି? ନିର୍ବାଚନ ସମୟରେ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ‘ମାଗଣା ପାଣି ଦେବୁ, ବିଜୁଳି ଦେବୁ, ଲାପଟପ ଦବୁ, ମୋବାଇଲ ଦବୁ’ ଆଦି ଘୋଷଣା କରିଥାନ୍ତି, ଯାହା ଦେଶର ଅର୍ଥନୀତି ଉପରେ ଘୋର କୁପ୍ରଭାବ ପକାଉଛି। ଏହାକୁ ବନ୍ଦ କରିବା ପାଇଁ ବିଜେପି ନେତା ତଥା ଓକିଲ ଅଶ୍ବିନୀ ଉପାଧ୍ୟାୟଙ୍କ ଆବେଦନ ଉପରେ ଶୁଣାଣି କରିବା ଅବସରରେ କୋର୍ଟ ଉପରୋକ୍ତ ମତ ରଖିଛନ୍ତି।