ନଭେମ୍ବର ଯାଏ ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ, ୨୦ କୋଟି ପରିବାରଙ୍କୁ ୩୧ ହଜାର କୋଟି ଦିଆସରିଛି

ଅନ୍‌ଲକ୍‌ ପରଠୁ ଲୋକେ ବେପରୁଆ ହୋଇଗଲେଣି, କରୋନା ମୁକାବିଲା ପାଇଁ ସୁରକ୍ଷା ନିୟମ ପାଳିବା ଜରୁରୀ

ନୂଆଦିଲ୍ଲୀ: ଦେଶ‌େର ୮୦ କୋଟି ଗରିବ ‌ଲୋକଙ୍କୁ ଏବେ ମିଳୁଥିବା ମାଗଣା ଖାଦ୍ୟଶସ୍ୟ ସୁବିଧାକୁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଘୋଷଣା କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ଅଧୀନରେ ଗରିବ ପରିବାରକୁ ମୁଣ୍ଡପିଛା ୫ କିଲୋ ମାଗଣା ଚାଉଳ/ ଗହମ ଏବଂ ପରିବାର ପିଛା ୧ କିଲୋ ଡାଲି ଦିଆଯାଉଛି। ଏହି ଯୋଜନାକୁ ଆଉ ୫ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବାରୁ ୯୦ ହଜାର କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ। ଦେଶବାସୀଙ୍କୁ ଆଜି ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରି କହିଛନ୍ତି, ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ‌କରୋନା ମହାମାରୀ ବ୍ୟାପିବା ପରେ ଟେଲିଭିଜନ ଜରିଆରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଉଦବୋଧନ। କରୋନା ମୁକାବିଲା ଲାଗି ତାଙ୍କ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଆଲୋକପାତ କରିଥିଲେ। ତେବେ ଚୀନ ଉତ୍ତେଜନା ସଂପର୍କରେ ପ୍ରଧାନମନ୍ତ୍ରୀ ଆଜି କିଛି କହିନଥିଲେ।କରୋନା ଭାଇରସ୍‌ ମୁକାବିଲା ପାଇଁ ସବୁସ୍ତରରେ ସତର୍କତା ଅବଲମ୍ବନ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ସମସ୍ତେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖି ନିୟମ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଦେଶରେ ଅନ୍‌ଲକ୍‌-୧ ଆରମ୍ଭ ହେବା ପରଠାରୁ ଲୋକଙ୍କ ମଧ୍ୟରେ ବେପରୁଆ ମନୋଭାବ ବଢ଼ିଛି ଏବଂ ପୂର୍ବରୁ ପାଳନ ହେଉଥିବା ସୁରକ୍ଷା କଟକଣାକୁ ସେମାନେ ଅଣଦେଖା କରୁଛନ୍ତି। ଏହାକୁ ନେଇ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଥମେ ମାସ୍କ ଲଗାଇବା ଏବଂ ୨ ଗଜ ଦୂରତା ଏବଂ ହାତ ଧୋଇବାକୁ ନେଇ ଆମେ ସମସ୍ତେ ସତର୍କ ଥିଲୁ। କିନ୍ତୁ ଏବେ ଏହାକୁ ଠିକ୍‌ରେ ପାଳନ କରାଯାଉ ନାହିଁ। ଆମେ ପୂର୍ବ ଭଳି ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶେଷ କରି ଅବରୋଧ ଅଂଚଳରେ ଲୋକଙ୍କୁ ନିୟମ ପାଳନ କରିବା ପାଇଁ ବାଧ୍ୟ କରିବାକୁ ହେବ ଏବଂ ବୁଝାଇବାକୁ ପଡ଼ିବ। ଭାରତରେ କୌଣସି ଗାଁର ମୁଖିଆ ହୁଅନ୍ତୁ, କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ, କେହି ବି ଆଇନର ଉପରେ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ଗରିବଙ୍କ କଲ୍ୟାଣ ଉପରେ ରହିଥିଲା। ବିଗତ ୩ ମାସ ମଧ୍ୟରେ ୨୦ କୋଟି ଗରିବ ପରିବାରଙ୍କୁ ଜନଧନ ଖାତାରେ ସିଧାସଳଖ ୩୧ ହଜାର କୋଟି ଟଙ୍କା ଜମା କରାଯାଇଛି। ଏହି ସମୟରେ ୯ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ମଧ୍ୟ ୧୮ ହଜାର କୋଟି ଟଙ୍କା ଜାମା କରାଯାଇଛି।
ଭାରତର କରୋନା ମୁକାବିଲା ରଣନୀତିକୁ ଦେଖି ବିଶ୍ବ ମଧ୍ୟ ଚକିତ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୮୦ କୋଟିରୁ ଅଧିକ ଲୋକଙ୍କୁ ୩ ମାସର ମାଗଣା ରାସନ ଦିଆଯାଇଛି। ଆମେରିକାର ମୋଟ ଜନସଂଖ୍ୟାର ଅଢ଼େଇଗୁଣରୁ ଅଧିକ, ବ୍ରିଟେନ୍‌ ଜନସଂଖ୍ୟାର ୧୨ ଗୁଣା ଅଧିକ ଏବଂ ୟୁ‌ରୋପୀୟ ସଂଘର ମୋଟ ଜନସଂଖ୍ୟାର ୨ ଗୁଣା ଅଧିକା ଲୋକଙ୍କୁ ଆମ ସରକାର ମାଗଣା ଖାଦ୍ୟଶସ୍ୟ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନର ମୁଖ୍ୟାଂଶ
-ଏବେ ଦେଶରେ ଅନଲକ୍-୨ ଆରମ୍ଭ ହେଲା। ଏହି ସମୟରେ ବର୍ଷା ଋତୁ ପଡ଼ୁଥିବାରୁ ଥଣ୍ଡା, କାଶ ଓ ଜ୍ବର ଭଳି ରୋଗକୁ ନେଇ ଆଶଙ୍କା ରହିଛି। ତେଣୁ ଆମକୁ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ।
-କରୋନା ମୁକାବିଲା ନେଇ ଭାରତ ସରକାର ଠିକ୍ ସମୟରେ ଲକ୍ ଡାଉନ୍ ଘୋଷଣା କରିବାକୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ରକ୍ଷା କରାଯାଇ ପାରିଛି। ଆମେ ଆଜି ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ଅଛୁ।
-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏକ କୋଟି ୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଥିଲା। ଗତ ତିନି ମାସ ମଧ୍ୟରେ ୨୦ କୋଟି ଗରିବ ପରିବାରର ବ୍ୟାଙ୍କ ଖାତାରେ ୩୧ ହଜାର କୋଟି ଟଙ୍କା ଜମା କରାଯାଇଛି। ସେହିଭଳି ୯ କୋଟି ଚାଷୀ ପରିବାରଙ୍କର ବ୍ୟାଙ୍କ ଖାତାରେ ୧୮ ହଜାର କୋଟି ଟଙ୍କା ଜମା କରାଯାଇଛି।

ସମ୍ବନ୍ଧିତ ଖବର