ଦୁଇଟି ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି: ରେଳ ମନ୍ତ୍ରାଳୟ-ଓଡ଼ିଶା ସରକାରଙ୍କ ସହ ହୋଇଛି ବୁଝାମଣା

ନୂଆଦିଲ୍ଲୀ: ଓଡ଼ିଶା ସରକାର ଦୁଇଟି ନୂଆ ରେଳ ଲାଇନ ପାଇଁ ମାଗଣାରେ ଜମି ଯୋଗାଇ ଦେବା ପାଇଁ ରେଳ ମନ୍ତ୍ରାଳୟ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏଥିରୁ ଗୋଟିଏ ଖୋର୍ଦ୍ଧା ରୋଡ – ବଲାଙ୍ଗୀର ହୋଇଥିବା ବେଳେ ଅନ୍ୟଟି ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ। ଆଜି ଲୋକସଭାରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ରେଳମନ୍ତ୍ରୀଙ୍କ ସୂଚନା ହେଲା, ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା‌ ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ବର୍ଦ୍ଧିତ ବ୍ୟୟ ଅଟକଳ ୩୭୯୨ କୋଟି ଟଙ୍କାରେ ପହଞ୍ଚିଛି। ଏହି ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ମାଗଣାରେ ଜମି ଯୋଗାଇଦେବା ସହ ଖୋର୍ଦ୍ଧା ରୋଡରୁ ୧୧୨ କିମିରୁ ୨୮୯ କିମି ପର୍ଯ୍ୟନ୍ତ ପ୍ରକଳ୍ପର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ପ୍ରକଳ୍ପ ପାଇଁ ଆବଶ୍ୟକ ୬୧୬୨ ଏକର ଜମି ମଧ୍ୟରେ ୧୮୪୪ ଏକର ଜଙ୍ଗଲ ଜମି ରହିଛି। ଏଥିରୁ ୫୩୩୩ ଏକର ଜମି ଅଧିଗ୍ରହଣ ସରିଥିବା ବେଳେ ୧୭୦ ଏକର ଜଙ୍ଗଲ ଜମିର ରୂପାନ୍ତରଣ ସରିଛି। ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ୯୨ କିମି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ସେହି ଭଳି ଜୟପୁର-ନବରଙ୍ଗପୁର ୩୮ କିମି ବିଶିଷ୍ଟ ରେଳ ପ୍ରକଳ୍ପ ୨୦୧୬-୧୭ ବଜେଟରେ ସାମିଲ କରାଯାଇଥିଲା। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା‌ରେ ଜମି ପ୍ରଦାନ ସହ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ଏହି ପ୍ରକଳ୍ପର ସଦ୍ୟ ଖର୍ଚ୍ଚ ଆକଳନ ୭୪୮ କୋଟି ଟଙ୍କାରେ ପହଞ୍ଚିଛି। ପ୍ରକଳ୍ପ ପାଇଁ ୭୭୨.୧୯ ଏକର ଘରୋଇ ଜମି, ୮୭.୭୭ ଏକର ସରକାରୀ ଜମି ଓ ୯.୭ ଏକର ଜଙ୍ଗଲ ଜମିର ଆବଶ୍ୟକତା ରହିଛି। ଏଥି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର