ନିର୍ବାଚନ ବେଳେ ‘ମାଗଣା’ ପ୍ରତିଶ୍ରୁତି ଗୁରୁତର ଆର୍ଥିକ ପ୍ରସଙ୍ଗ: ସୁପ୍ରିମ୍କୋର୍ଟ
କମିଟି ଗଠନ ପାଇଁ ପରାମର୍ଶ ଦେଲେ
ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ରାଜନୈତିକ ଦଳ ଖାଦ୍ୟ, ପାଣି, ବିଜୁଳି ପ୍ରଭୃତି ନାନା ଜିନିଷ ମାଗଣା ଦେବାର ପ୍ରତିଶ୍ରୁତି ଦେଇ ଭୋଟ ମାଗିଥାନ୍ତି। ଏହାଦ୍ବାରା ରାଜକୋଷ ଖୋଳ ହୋଇଯାଏ, ସରକାର ଅଧିକ ଋଣ କରନ୍ତି, ଟିକସଦାତାଙ୍କ ଉପରେ ଅଧିକ ଟିକସ ବୋଝ ଲଦନ୍ତି, ଦରଦାମ୍ ବୃଦ୍ଧି ପାଏ- ରାଜ୍ୟ ବା ଦେଶର ଅର୍ଥନୀତି ଉପରେ ଏହାର ଘୋର ପ୍ରତିକୂଳ ପ୍ରଭାବ ପଡ଼େ। ଏହା ଉପରେ ଆଗତ ଏକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି ଯେ ମାଗଣା ପ୍ରତିଶ୍ରୁତି ଏକ ଗୁରୁତର ଆର୍ଥିକ ପ୍ରସଙ୍ଗ। ସରକାର ଏହି ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରିବା ଉଚିତ।
ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍ଭି ରମଣା, ଜଷ୍ଟିସ୍ କୃଷ୍ଣ ମୁରଲୀ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ କହିଲେ ଯେ ଏହି ସମସ୍ୟାର ସମାଧାନ ପାଇଁ ନୀତି ଆୟୋଗ, ଅର୍ଥ ଆୟୋଗ, ଶାସକ ଓ ବିରୋଧୀ ଦଳ, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସମ୍ପୃକ୍ତ ଅନ୍ୟ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବା ଦରକାର। ରାଜନୈତିକ ଦଳଗୁଡ଼ିକ ଦ୍ବାରା ମାଗଣା ଘୋଷଣା ସମସ୍ୟାର କିପରି ସମାଧାନ ହୋଇପାରିବ କମିଟି ତାହା ଉପରେ ମାର୍ଗଦର୍ଶନ କରିବ।
କୋର୍ଟ କହିଲେ ଯେ, ଯେଉଁମାନେ ଫ୍ରିବି (ମାଗଣା)କୁ ସମର୍ଥନ କରନ୍ତି, ଯେଉଁମାନେ ଏହାର ବିରୋଧ କରନ୍ତି, ସେମାନଙ୍କ ସହ ନୀତି ଆୟୋଗ, ରିଜର୍ଭ ବ୍ୟାଙ୍କ, ସରକାରୀ ଏବଂ ବିରୋଧୀ ଦଳ ସମସ୍ତେ ଏହା ଉପରେ ନିଜ ନିଜର ଗଠନମୂଳକ ପ୍ରସ୍ତାବ ଦେବେ। ଶେଷକୁ କମିଟି ଏହା ଉପରେ ଯାହା ନିଷ୍ପତ୍ତି ନେବ ସବୁ ରାଜନୈତିକ ଦଳ ତାହାକୁ ଗ୍ରହଣ କରିବେ। ତେବେ ଉକ୍ତ ସର୍ବୋଚ୍ଚ କମିଟି କେମିତି ଗଠନ କରାଯିବ ତାହା ଉପରେ କୋର୍ଟ କେନ୍ଦ୍ର ସରକାର, ନିର୍ବାଚନ କମିସନ, ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଓ ପିଟିସନରମାନଙ୍କୁ ୭ ଦିନ ଭିତରେ ନିଜନିଜର ମତ ଦେବା ପାଇଁ କହିଛନ୍ତି।