ଗରିବଙ୍କ ପାଇଁ ଦିଲ୍ଲୀ ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା; ତାଜ ମହଲରେ ନମାଜ ପାଠ ମନା: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସରକାରଙ୍କ ଠାରୁ ରିହାତି ମୂଲ୍ୟରେ ଜମି ନେଇ କରାଯାଇଥିବା ଘରୋଇ ଦିଲ୍ଲୀ ଡାକ୍ତରଖାନା ସବୁ ଅର୍ଥନୈତିକ ଦୁର୍ବଳ ବର୍ଗର ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଅନ୍ତୁ ବୋଲି ସୋମବାର ଦିନ ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି।

ଗରିବ ରୋଗୀଙ୍କ ପାଇଁ କେତୋଟି ଶଯ୍ୟା ସଂରକ୍ଷିତ ରହିବ ତାହା ଘରୋଇ ଡାକ୍ତରଖାନା ଓ ସରକାରଙ୍କ ମଧ୍ୟରେ ରାଜିନାମା ହୋଇଛି। ଏହାର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ। ଏହାକୁ ଅଦାଲତ ଅବମାନନା ବୋଲି ବିଚାର କରାଯିବ।

ଗରିବ ରୋଗୀମାନେ ମାଗଣାରେ ଚିକିତ୍ସା ପାଉଛନ୍ତି କି, ନାହିଁ ନିଶ୍ଚିତ କରାଇବାକୁ ସୁପ୍ରିମ୍‌ କୋର୍ଟ ନିଜେ ତଦାରଖ କରିବେ ବୋଲି ମଧ୍ୟ କହିଛନ୍ତି। ଏ ସଂକ୍ରାନ୍ତରେ ସାମୟିକ ରିପୋର୍ଟ ଦେବାକୁ ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।

ତାଜମହଲରେ ନମାଜ ପାଠ କରିବା ନିମନ୍ତେ ଆଗତ ଏକ ଆବେଦନକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ସୋମବାର ଦିନ ଖାରଜ କରିଛନ୍ତି। ତାଜ ମହଲ ପରିସର ମଧ୍ୟରେ ଶୁକ୍ରବାର ଦିନ ବାହାର ଲୋକମାନେ ନମାଜ ପଢ଼ି ପାରିବେ ନାହିଁ ବୋଲି ଆଗ୍ରା କର୍ତ୍ତୃପକ୍ଷଙ୍କ ଆଦେଶକୁ ଚାଲେଞ୍ଜ୍‌ କରି ଏହି ପିଟିସନ୍‌ ଦାଏର୍‌ କରାଯାଇଥିଲା।

ସୁପ୍ରିମ୍‌ କୋର୍ଟ କହିଛନ୍ତି କି, ଐତିହାସିକ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରେ ଅନ୍ୟତମ ହୋଇଥିବା କାରଣରୁ ଲୋକେ ଅନ୍ୟ ମସ୍‌ଜିଦ୍‌ମାନଙ୍କରେ ନମାଜ ପଢ଼ିବା ଉଚିତ।

ସମ୍ବନ୍ଧିତ ଖବର