ସମସ୍ତଙ୍କୁ ଏବେ ମାଗଣା ଟିକା, କେନ୍ଦ୍ର ନେଲା ଦାୟିତ୍ବ

ରାଜ୍ୟଙ୍କୁ ଆଉ କିଣିବାକୁ ପଡ଼ିବନି, ଦୀପାବଳି ପର୍ଯ୍ୟନ୍ତ ମାଗଣା ରାସନ

ନୂଆଦିଲ୍ଲୀ : ରାଜ୍ୟମାନଙ୍କ ଆଡ଼ୁ ଚାପ ପଡ଼ିବ‌ା ପରେ କେନ୍ଦ୍ର ସରକାର କୋଭିଡ୍ ଟିକ‌ାକରଣ ନୀତିରେ ପରିବର୍ତନ କରିଛନ୍ତି। ଏଣିକି ୧୮ବର୍ଷରୁ ଅଧିକ ବୟସର ସବୁ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦିଆଯିବ। ଏହି ଦାୟିତ୍ବ କେନ୍ଦ୍ର ସରକାର ନିଜ ଉପରକୁ ନେଇଛନ୍ତି। ଟିକା କଂପାନୀମାନଙ୍କ ଠାରୁ କେନ୍ଦ୍ର ସରକାର ୭୫ ଭାଗ ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇଦେବେ। ଅବଶିଷ୍ଟ ୨୫ ଭାଗ ଟିକା ଘରୋଇ ହସପିଟାଲମାନେ କିଣିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ଦୂରଦର୍ଶନ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟିକାକରଣର ନିୟନ୍ତ୍ରଣ ଦାୟିତ୍ବ ରାଜ୍ୟଗୁଡ଼ିକ ହାତରୁ କେନ୍ଦ୍ର ସରକାର ନେଇଯିବେ। ଆସନ୍ତା ୨ ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ଜୁନ୍‌ ୨୧ ତାରିଖରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ଟିକା ଯୋଗା‌ଇ ଦେବେ। ସରକାରୀ କେନ୍ଦ୍ର ଗୁଡ଼ିକରେ ଏହି ଟିକା ୧୮ବର୍ଷରୁ ଅଧିକ ବୟସର ସବୁ ବ୍ୟକ୍ତିଙ୍କୁ ମାଗଣାରେ ପ୍ରଦାନ କରାଯିବ। ଅବଶିଷ୍ଟ ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲଗୁଡ଼ିକ ଟିକା ନିର୍ମାତାଙ୍କ ଠାରୁ ଅର୍ଥ ଦେଇ କିଣିବେ। ଫଳରେ ଯେଉଁମାନେ ଅର୍ଥ ଦେଇ ଟିକା ନେବାକୁ ଚାହିବେ ସେମାନେ ଘରୋଇ ଡାକ୍ତରଖାନା ମାଧ୍ୟମରେ ଏହା ନେଇପାରିବେ। ତେବେ ଟିକାର ସର୍ଭିସ ଚାର୍ଜ ବାବଦରେ ‌ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ ୧୫୦ ଟଙ୍କା ସିଲିଂ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ମେ ମାସରେ ଟିକାକରଣ ନୀତିରେ ସରକାର ପରିବର୍ତ୍ତନ ଆଣିଥିଲେ। ଟିକା ନିର୍ମାତାଙ୍କ ଠାରୁ ୫୦ ପ୍ରତିଶତ ଟିକା କିଣି କେନ୍ଦ୍ର ରାଜ୍ୟଗୁଡ଼ିକୁ ଯୋଗାଇ ଦେଉଥିବା ବେଳେ ୨୫ ପ୍ରତିଶତ ଟିକା ରାଜ୍ୟ ସରକାର ଏବଂ ଆଉ ୨୫ ପ୍ରତିଶତ ଟିକା ଘରୋଇ ଡାକ୍ତରଖାନାଗୁଡ଼ିକ କିଣିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଆଜି ସେଥିରେ ପରିବର୍ତ୍ତନ ଆଣିଛନ୍ତି। କେନ୍ଦ୍ରର ସେହି ନୀତିକୁ ନେଇ ରାଜ୍ୟମାନେ ଆପତ୍ତି ଜଣାଇଥିଲେ। ବିଶେଷ କରି ଟିକା କଂପାନୀମାନେ କେନ୍ଦ୍ର ଓ ରାଜ୍ୟ ପାଇଁ ‌ଯେମିତି ଦୁଇ ପ୍ରକାର ମୂଲ୍ୟ ଧାର୍ଯ୍ୟ କରୁଥିଲେ ତାହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା। ବିଭିନ୍ନ ସମୟରେ କୋର୍ଟ ମଧ୍ୟ ଏଭଳି ଟିକାକରଣ ନୀତି ନେଇ ପ୍ରଶ୍ନ ଉଠାଇଥିଲେ। ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସରକାର ମାଗଣାରେ ଟିକା ଯୋଗାଉଥିଲେ। ୧୮ରୁ ୪୪ ବର୍ଷରୁ ବୟସ୍କ ଲୋକଙ୍କୁ ବିଭିନ୍ନ ରାଜ୍ୟ ସରକାର ମାଗଣାରେ ଟିକା ଦେଉଥିଲେ।

ଏଥିସହିତ ପ୍ରଧାନମନ୍ତ୍ରୀ ଆଜି ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ତାହା ହେଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ‌ଅନ୍ନ ଯୋଜନାକୁ ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ବଢ଼ାଯିବ। ଏଥିରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିବ। କରୋନାର ପ୍ରଥମ ଲହର ‌‌ବେଳେ ଏହି ଯୋଜନା ପ୍ରଥମେ ଆରମ୍ଭ କରାଯାଇଥିଲା। ତେବେ ଚଳିତବର୍ଷ ଦ୍ବିତୀୟ ଲହରରେ ମେ ଏବଂ ଜୁନ୍ ମାସ ପାଇଁ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ବର୍ତ୍ତମାନ ଏହାକୁ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରରେ ଏପ୍ରିଲ ଏବଂ ମେ ମାସରେ ଦେଶରେ ମେଡିକାଲ ଅକ୍ସିଜେନର ଚାହିଦା ଅକଳ୍ପନୀୟ ଭାବେ ବୃଦ୍ଧି ପାଇଥିଲା। ଭାରତ ଇତିହାସରେ ଏଭଳି ଚାହିଦା କେବେ ଦେଖାଦେଇ ନଥିଲା। ଏହି ଚାହିଦା ପୂରଣ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିଥିଲେ। କରୋନା ମହାମାରୀ ଦେଶରେ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ଏକାଧିକ ଥର ଦେଶବାସୀଙ୍କୁ ସମ୍ବୋଧିତ କରି ସାରିଲେଣି। ଏହା ପୂର୍ବରୁ ଗତ ଏପ୍ରିଲ ୨୦ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରି ଲକଡାଉନ୍ ପରିବର୍ତ୍ତେ ଛୋଟ ଛୋଟ ଅଞ୍ଚଳରେ ଅବରୋଧ ଅଞ୍ଚଳ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର