ଟିକା ଚିନ୍ତା ଥମିନି, ରାଜନୀତି ଆରମ୍ଭ : ବିହାରରେ ମାଗଣା ଟିକା ଝଡ଼

ସରକାରଙ୍କୁ ଘେରିଲେ ବିରୋଧୀ

ଅଣବିଜେପି ରାଜ୍ୟ କ’ଣ ଟିକା ପାଇବେନି ?
ବିରୋଧ ପରେ ସ୍ପଷ୍ଟୀକରଣ ଦେଲା ବିଜେପି

ନୂଆଦିଲ୍ଲୀ : ବିହାରରେ ସମସ୍ତଙ୍କ ପାଇଁ ମାଗଣା ଟିକା ପ୍ରତିଶ୍ରୁତି ଦେଇ ଏବେ ଅଡ଼ୁଆରେ ପଡ଼ିଛି ବିଜେପି। ଆଜି ଜାରି ହୋଇଥିବା ବିଜେପିର ଇସ୍ତାହାରରେ ପ୍ରମୁଖ ପ୍ରତିଶ୍ରୁତି ୨ଟି ହେଉଛି ବିହାରରେ ପ୍ରତି ଲୋକଙ୍କୁ ମାଗଣାରେ କୋଭିଡ୍‌ ଟିକା ମିଳିବ ଏବଂ ୧୯ ଲକ୍ଷ ଲୋକଙ୍କୁ ଚାକିରି । କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ବିଜେପି ନେତ୍ରୀ ନିର୍ମଳା ସୀତାରମଣ ଆଜି ବିଜେପିର ନିର୍ବାଚନୀ ଇସ୍ତାହାର ଜାରି କରି କହିଛନ୍ତି, କୋଭିଡ୍‌ ଟିକା ବିପୁଳ ପରିମାଣରେ ଆସିବ ଏବଂ ବିହାରରେ ପ୍ରତି ‌ଲୋକ ମାଗଣାରେ ଟିକା ପାଇବେ। ବିଜେପିର ଏଭଳି ପ୍ରତିଶ୍ରୁତିକୁ ବିରୋଧ କରି ସମସ୍ତ ବିରୋଧୀ ଦଳ ଏହାର କଡ଼ା ସମାଲୋଚନା କରିଛନ୍ତି। ଶାସକ ଦଳ ରାଜନୈତିକ କାରଣ ପାଇଁ ଟିକାକୁ ବ୍ୟବହାର କରିବାଭଳି ଏକ ଭୟାନକ ଉଦ୍ୟମ କରିଛି ‌ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି।

ନିର୍ମଳାଙ୍କ ଘୋଷଣାକୁ ବିରୋଧ କରି ଆପ୍‌ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି ଯେ ଏବେ ଅଣ ବିଜେପି ରାଜ୍ୟମାନେ କ’ଣ କରିବେ। ଯେଉଁ ଭାରତୀୟ ବିଜେପିକୁ ଭୋଟ୍‌ ନଦେବେ ସେମାନେ କ’ଣ ମାଗଣାରେ ଟିକା ପାଇବେ ନାହିଁ କି ବୋଲି ଆପ୍‌ ପକ୍ଷରୁ ପ୍ରଶ୍ନ କରାଯାଇଛି। କଂ‌ଗ୍ରେସ ସାଂସଦ ଶଶି ଥରୁର ଏହି ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ‘ମତେ ଭୋଟ୍‌ ଦିଅ ମୁଁ ତୁମକୁ ଟିକା ଦେବି’। ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି, ବିଜେପି କ’ଣ ଏହାର ନିଜସ୍ବ ଟ୍ରେଜରିରୁ ଟିକା ପାଇଁ ଅର୍ଥ ଦେଉଛି କି? ଯଦି ସରକାରୀ ଟ୍ରେଜରିରୁ ଟଙ୍କା ଆସୁଛି ତେବେ କେବଳ ବିହାର ବାସିନ୍ଦା କାହିଁକି ମାଗଣା ଟିକା ପାଇବେ ଏବଂ ଦେଶର ଅନ୍ୟ ରାଜ୍ୟର ଲୋକମାନେ କାହିଁକି ଟିକା ପାଇବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ବିହାରରେ ପ୍ରମୁଖ ବିରୋଧୀ ଦଳ ଆର୍‌ଜେଡି ବିଜେପିର ନିର୍ବାଚନୀ ଇସ୍ତାହାରକୁ କଡ଼ା ସମାଲୋଚନା କରିଛି। ଆର୍‌ଜେଡି କହିଛି, ବିଜେପି ରାଜନୀତି ପାଇଁ ରୋଗକୁ ବ୍ୟବହାର କରୁଛି ଏବଂ ମୃତ୍ୟୁର ଭୟ ବିକ୍ରି କରୁଛି। ଏକ ଟ୍ବିଟ୍‌ କରି ଆର୍‌ଜେଡି କହିଛି, କରୋନା ଟିକା ଦେଶର, ବିଜେପିର ନୁହେଁ। ଟିକା‌ର ରାଜ‌ନୈତିକ ବ୍ୟବହାରରୁ ଏହା ଜଣାପଡ଼ୁଛି ଯେ, ସେମାନଙ୍କ ନିକଟରେ କିଛି ଉପାୟ ନାହିଁ।

ବିହାରରେ ନିର୍ବାଚନୀ ଇସ୍ତାହାରକୁ ନେଇ ବିରୋଧୀ ଦଳ ନେତାମାନେ ପ୍ରଶ୍ନ ଉଠାଇବାପରେ ବିଜେପି ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ବିହାରରେ ବିଜେପିର ଜଣେ ଶୀର୍ଷ ନେତା ଭୁପିନ୍ଦର ଯାଦବ ଶଶି ଥରୁର୍‌ଙ୍କ ପୋଷ୍ଟ୍‌ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ନିର୍ମଳା ସୀତାରମଣଙ୍କ ବିବୃତିକୁ ବିକୃତ କରିବାପାଇଁ ଆପଣ ଯେଉଁ ଉଦ୍ୟମ କରିଛନ୍ତି, ତାହା ଆପଣଙ୍କ ହତାଶାକୁ ପଦାରେ ପକାଇ ଦେଇଛି। ସମସ୍ତ ଦଳ ଇସ୍ତାହାର ଜାରି କରନ୍ତି। କୋଭିଡ୍‌ ଟିକା ସବୁ ଭାରତୀୟଙ୍କ ପାଇଁ କମ୍‌ ମୂଲ୍ୟରେ ଉପଲବ୍ଧ ହେବ। କିନ୍ତୁ ରାଜ୍ୟମାନେ ଏହାକୁ ମାଗଣା କରିପାରିବେ। ବିହାରରେ ଆମେ ମାଗଣା ଟିକା ଦେବାର ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି। ବିଜେପିର ଆଇଟି ଇନ୍‌ଚାର୍ଜ ଅମିତ ମାଲ୍‌ବୀୟ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନାମମାତ୍ର ମୂଲ୍ୟରେ ଟିକା ଦେବେ ଏବଂ ରାଜ୍ୟମାନେ ଚାହିଲେ ଏହି ଟିକା ମାଗଣାରେ ଦେଇପାରିବେ। କରୋନା ଟିକା ମାଗଣାରେ ଦେବାପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ଆମେ ଏହାକୁ ଇସ୍ତାହାରରେ ମଧ୍ୟ ଉଲ୍ଲେଖ କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର