ମାଗଣା ବଣ୍ଟନ ଓ ଜନକଲ୍ୟାଣ ମୂଳକ ଯୋଜନା ମଧ୍ୟରେ ଫରକ ରହିଛି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କଲ୍ୟାଣମୂ​ଳକ ସ୍କିମ୍ ଓ ମାଗଣା ବଣ୍ଟନ ମଧ୍ୟରେ ଏକ ତଫାତ୍ ରହିଛି । ଆମେ ଅର୍ଥନୀତି ଓ ସମାଜ କଲ୍ୟାଣ ମଧ୍ୟରେ ଏକ ଭାରସାମ୍ୟ ରଖିବା ଉଚିତ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ତେବେ ଅଯଥା ଓ ଅଯୁକ୍ତିକର ମାଗଣା ସ୍କିମ ଘୋଷଣା କରୁଥିବା ରାଜନୈତିକ ଦଳଙ୍କ ମାନ୍ୟତା ପ୍ରତ୍ୟାହାର ନେଇ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ଓ ଜଷ୍ଟିସ କୃଷ୍ଣ ମୂରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ ବେଳେ ଅଯୁକ୍ତିକର ସ୍କିମ ଘୋଷଣା କରୁଥିବା ଦଳମାନଙ୍କୁ ମାନ୍ୟତା ପ୍ରତ୍ୟାହାର ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ “ଏହା ଏକ ଅଗଣତାନ୍ତ୍ରିକ ନିର୍ଦ୍ଦେଶ ହେବ । କାରଣ ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ।“

ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଆଉ ଏକ ପ୍ରଶ୍ନ ହେଉଛି କୋର୍ଟ କେତେଦୂର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବେ । କାରଣ ଏଥିପାଇଁ ନିର୍ବାଚନ ଆୟୋଗ ପରି ଏକ ସ୍ବାଧୀନ ଅନୁଷ୍ଠାନ ଓ ରାଜନୈତିକ ଦଳମାନେ ଅଛନ୍ତି ।

ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗ ଏକ ଚିନ୍ତାଜନକ ବିଷୟ । ଭାରତ ପରି ଗରିବବହୁଳ ଦେଶରେ ସମାଜ କଲ୍ୟାଣମୂଳକ ସ୍କିମକୁ ଆମେ ଅବହେଳା କରିପାରିବା ନାହିଁ, କିନ୍ତୁ ଆମକୁ ଆର୍ଥିକ ଶୃଙ୍ଖଳା ରକ୍ଷା କରିବାକୁ ହେବ ।

 

ସମ୍ବନ୍ଧିତ ଖବର