ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଆମେରିକା କହିଲା ଏଭଳି କଥା

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କଲା ଆମେରିକା। ଏକ ଫେସବୁକ ପୋଷ୍ଟକୁ ନେଇ ଅକ୍ଟୋବର ୧୩ରେ କିଛି ଲୋକ ଦୁର୍ଗାପୂଜା ମଣ୍ଡପ ଓ କେତେକ ମନ୍ଦିର ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏହାକୁ ନେଇ କଡ଼ା ନିନ୍ଦା କରିଛି ଆମେରିକା। ଧର୍ମ କିମ୍ବା ବିଶ୍ୱାସର ସ୍ୱାଧୀନତା ହେଉଛି ମାନବିକ ଅଧିକାର ବୋଲି କହିଛି ଆମେରିକା।

ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର କହିଛନ୍ତି ଯେ, “ଧର୍ମ କିମ୍ବା ବିଶ୍ୱାସର ସ୍ବାଧୀନତା ହେଉଛି ଏକ ମାନବିକ ଅଧିକାର। ବିଶ୍ବରେ ବିଭିନ୍ନ ଧର୍ମର ଲୋକ ନିଜ ଧର୍ମର ପର୍ବପର୍ବାଣୀ ପାଳନ କରିବା ପାଇଁ ନିଜକୁ ନିରାପଦ ମନେ କରିବା ଉଚିତ। ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣ ନିନ୍ଦନୀୟ।

ଉଲ୍ଲେଖଯୋଗ୍ୟ, ଢାକାଠାରୁ ୧୦୦ କିଲୋମିଟର ଦୂର କମିଲାଠାରେ ଥିବା ମନ୍ଦିରରେ ଏକ ସଂପ୍ରଦାୟର ଧର୍ମଗ୍ରନ୍ଥର ଅପମାନ କରାଯାଇଥିବା ନେଇ ଫୟାଜ ଉଦ୍ଦିନ ନାମକ ଜଣେ ବ୍ୟକ୍ତି ଫେସବୁକରେ ପୋଷ୍ଟ କରିଥିଲେ । ଏହାକୁ ନେଇ ଅକ୍ଟୋବର ୧୩ରେ ଦୁର୍ଗା ପୂଜା ଚାଲୁଥିବାବେଳେ ଉତ୍ତେଜନା ଦେଖାଦେଇଥିଲା ଓ ପରେ ତାହା ହିଂସାର ରୂପ ନେଇଥିଲା । ଏହି ହିଂସା ଘଟଣାରେ ଏକାଧିକ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର